ମୋହନା,୨୪।୨( ମନ୍ମଥ ମିଶ୍ର ) : ବିଦ୍ୟାଳୟ ସମ୍ମୁଖରେ କାର୍ ଧକ୍କାରେ ଛାତ୍ର ଆହାତ। ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ କେଶରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଆଜି ପୂର୍ବାହ୍ନ ୧୦.୩୦ ସମୟରେ ବିଦ୍ୟାଳୟକୁ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଆସିନଥିଲେ। ଯାହା ଫଳରେ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଆୟତ୍ତ କରିବା ପାଇଁ କେହି ନଥିଲେ। ସେହି ସମୟରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଷଷ୍ଠ ଶ୍ରେଣୀର ଛାତ୍ର ଦୀପକ ମାଝୀ ବିଦ୍ୟାଳୟ ଛାଡ଼ି ବାହାରକୁ ପେନ କିଣିବା ପାଇଁ ଦୋକାନକୁ ଯିବାବେଳେ ଏକ କାର୍ ଧକ୍କା ଦେଇଥିଲା। ସଙ୍ଗେ ସଙ୍ଗେ ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା ମେଡିକା ରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ଅନ୍ୟପଟେ ବିଳମ୍ବରେ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ବାହାରେ ଅଟକ ରଖିଥିବାବେଳେ ମୁଖ୍ୟ ଫାଟକରେ ତାଲା ପକାଇ ରଖିଛନ୍ତି ଗ୍ରାମବାସୀ। ଘଟଣାସ୍ଥଳରେ ମୋହନା ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର ବେହେରା ପହଞ୍ଚି ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେବାପରେ ସମାଧାନ ହୋଇଛି।