ବାରଙ୍ଗ,୫ା୧୨(ଲିଙ୍ଗରାଜ ରାଉତ): ବାରଙ୍ଗସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତକ ପରିବାର ଲୋକ ଏନେଇ ବାରଙ୍ଗ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି।
ପ୍ରକାଶ ଯେ, ବାଲେଶ୍ୱର ଖଇରା ଥାନା ଅନ୍ତର୍ଗତ ବେରାଯୋଡ଼ି ଗ୍ରାମର ମୃତ୍ୟୁଞ୍ଜୟ ବେଦାନ୍ତ (୨୨) ବାରଙ୍ଗସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ରହି ଏମ୍ବିଏ ପାଠ୍ୟକ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ। ମୃତ୍ୟୁଞ୍ଜୟ ପ୍ରତ୍ୟେକ ଦିନ ପରି ଗୁରୁବାର ପାଠପଢ଼ା ପରେ ହଷ୍ଟେଲକୁ ଯାଇଥିଲେ। ଗୁରୁବାର ରାତି ସାଢ଼େ ୧୦ରେ ସେ ତାଙ୍କ ବାପା ହେମନ୍ତଙ୍କ ସହ କଥା ହୋଇଥିଲେ। ରାତି ସାଢ଼େ ୧୨ରେ ତାଙ୍କ ଦେହ ଖରାପ ଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଉଛି ବୋଲି ଜଣେ ଶିକ୍ଷକ ଫୋନ୍ କରି ତାଙ୍କ ବାପାଙ୍କୁ ଜଣାଇଥିଲେ। ଖବର ପାଇ ପରିବାର ଲୋକ ହସ୍ପିଟାଲରେ ପହଞ୍ଚିଲା ବେଳକୁଡାକ୍ତର ମୃତ୍ୟୁଞ୍ଜୟଙ୍କୁ ମୃତ ଘୋଷଣା କରିଥିବାର କୁହାଯାଇଥିଲା। ପୁଅର ମୁହଁ ଓ ଆଖିରୁ ରକ୍ତ ବାହାରୁଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିବାର ପରିବାର ଲୋକ ଦେଖିବାକୁ ପାଇଥିଲେ। ଏହାସହ ପୁଅର ଅସ୍ବାଭାବିକ ଭାବେ ମୃତ୍ୟୁ ନେଇ ସନ୍ଦେହ କରିବା ସହ କେହି ପୁଅକୁ ମାରିଦେଇଥିବାର ବାପା ହେମନ୍ତ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ବାରଙ୍ଗ ପୋଲିସ ୬୮୧/୨୫ କେସ୍ ନଂରେ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି।