ବିମାନବନ୍ଦର ଉଡାଇ ଦେବାକୁ ଧମକ ଦେଇଥିବା ଛାତ୍ର ଗିରଫ

ବେଙ୍ଗାଲୁରୁ,୨୩।୧୨: ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ (ବିଏଲ) ପୋଲିସର ମିଳିତ ଟିମ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର ବିସ୍ଫୋରଣ କରିବାକୁ ଟୁଇଟ୍‌ ଯୋଗେ ଧମକ ଦେଇଥିବା ୨୦ ବର୍ଷ ବୟସ୍କ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଥିବା ଜଣାପଡିଛି।
ଆହ୍ଲାବାଦର ମୋତିଲାଲ ନେହେରୁ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ର ବୈଭବ ଗଣେଶ ଡିସେମ୍ବର ୧୯ରେ ରାତି ୧୦.୧୫ରେ ଟୁଇଟ୍‌ ଯୋଗେ କହିଥିଲେ ଯେ, ମୁଁ ବେଙ୍ଗାଲୁରୁ ବିମାନ ବନ୍ଦରକୁ ବୋମା ପକାଇ ଉଡାଇ ଦେବି, ଯାହା ଦ୍ୱାରା ସେମାନେ ଏହାକୁ ମୋ ଘର ନିକଟରେ ପୁନଃ ନିର୍ମାଣ କରିପାରିବେ। କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ ମ୍ୟାନେଜର ରୂପା ମାଥ୍ୟୁ ବିଏଲ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଆଇପିସି ଧାରା ୫୦୫ ଏବଂ ୫୦୭ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲେ। ଡେପୁଟି କମିଶନର ଅଫ ପୋଲିସ (ଉତ୍ତର-ପୂର୍ବ) ଅନୁପ ଏ ଶେଟ୍ଟୀ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲେ। ପରେ ଅଭିଯୁକ୍ତ ଧରାପଡିଥିଲେ।
ପଚରାଉଚରା ବେଳେ ଗଣେଶ ପୋଲିସକୁ କହିଥିଲେ, ୧୦ ଡିସେମ୍ବର ରାତିରେ ବିମାନ ଯୋଗେ ଆହ୍ଲାବାଦରୁ ବେଙ୍ଗାଲୁରୁକୁ ଆସିଥିଲେ। ଯେତେବେଳେ ସେ ଘରକୁ ଯାଉଥିଲେ ସେ ଅନୁଭବ କରିଥିଲେ ଯେ ବିମାନବନ୍ଦର ତାଙ୍କ ଘରଠାରୁ ବହୁତ ଦୂରରେ ଏବଂ ଯାତାୟାତ ମନ୍ଥର ଥିଲା। ଏହି ସମୟରେ, ମା’ ତାଙ୍କୁ ଅନେକ ଥର ଫେଶନ କରି ପଚାରିଥିଲେ ତାଙ୍କୁ ଘରେ ପହଞ୍ଚିବାକୁ କେତେ ସମୟ ଲାଗିବ। ଫଳରେ ରାଗିଯାଇ ଏଭଳି ଟୁଇଟ୍‌ କରିଥିବା ସ୍ବୀକାର କରିଛନ୍ତି।