ଜଳପ୍ରପାତରେ ପ୍ରବଳ ସ୍ରୋତ: ପର୍ଯ୍ୟଟକଙ୍କୁ ଯିବା ମନା

ଗଜପତି,୦୬।୧୦(ଗିରିଧାରୀ ପରିଛା): ଲଗାଣ ବର୍ଷା ଯୋଗୁ ଜଳପ୍ରପାତ ଗୁଡ଼ିକରେ ପ୍ରବଳ ବର୍ଷାଜଳର ସ୍ରୋତ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଜଳପ୍ରପାତ ଭିତରକୁ ଯିବାକୁ ବାରଣ କରିଛି। ଗଜପତି ଜିଲା ପ୍ରଶାସନ ଦ୍ୱାରା ଜିଲାର ଜଳପ୍ରପାତ ଅଞ୍ଚଳକୁ କାହାରିକୁ ପ୍ରବେଶ ନିଷେଧ କରାଯାଇଛି। ଏ ସମ୍ପର୍କରେ ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ, ବନଖଣ୍ଡ ଅଧିକାରୀ ଏବଂ ଜିଲାର ସମସ୍ତ ବିଡିଓଙ୍କୁ ଚିଠି କରିଛନ୍ତି ପର୍ଯ୍ୟଟନ ଅଧିକାରୀ।

ଜିଲାରେ ଥିବା ବିଭିନ୍ନ ଜଳପ୍ରପାତ ଯଥା ଗଣ୍ଡା ହାତୀ ଜଳପ୍ରପାତ, ମାଙ୍କଡଡିଆଁ ଜଳ ପ୍ରପାତ, ଖସଡ଼ା ଜଳପ୍ରପାତ,ଗୁଦୁଗୁଦା ଜଳପ୍ରପାତକୁ ପର୍ଯ୍ୟଟକ ଯିବା ପାଇଁ ମନା। କାରଣ ଲଗାଣ ବର୍ଷାଯୋଗୁ ପାହାଡ଼ ପର୍ବତ ଘେରା ଗଜପତି ଜିଲାରେ ବିଭିନ୍ନ ନାଳରେ ବର୍ଷା ଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେବାସହ ପାହାଡିଆ ଜମିଗୁଡିକରେ ଏବେଭି ବର୍ଷାଜଳ ଠିଆ ହୋଇରହିଛି। ଯାହା ଫଳରେ ସମସ୍ତ ଚିରସ୍ରୋତା ଝରଣା ଗୁଡିକରେ ପ୍ରବଳ ଜଳ ପ୍ରବାହିତ ହେଉଛି । ବିଭିନ୍ନ ସ୍ଥାନରେ ବର୍ଷା ଜଳସ୍ରୋତର ପ୍ରଭାବରେ ଭୂସ୍ଖଳନ ହେବା ସହ ପଥର ଧସିହୋଇଜିବା ଦେଖା ଦେଇଛି। ତେଣୁ ଜଳପ୍ରପାତ ଗୁଡ଼ିକରେ ଜଳର ସ୍ରୋତ ଅଧିକ ଥିବା ଯୋଗୁ କିଛି ଅମାନିଆ ପର୍ଯ୍ୟଟକ କାଳେ ଝରଣା ଦେଖି ବେକାବୁ ହୋଇ ଯାଇ କୌଣସି ଅଘଟଣ ହୋଇପାରେ। ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ବର୍ତ୍ତମାନ ପିକନିକର ଋତୁ ଆରମ୍ଭ ହେବା ପୂର୍ବରୁ ଏଭଳି ପ୍ରାକୃତି ନିଜ ତାଣ୍ଡବ ରଚିଥିବା ହେତୁ ପର୍ଯ୍ୟଟକଙ୍କୁ ନିରାଶ କରିଛି । ଅନେକ ପର୍ଯ୍ୟଟକ ଜିଲାରେ ରହିଥିବା ଅନେକ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ନିରାଶ ହୋଇ ଫେରୁଛନ୍ତି । ସମସ୍ତେ ବ୍ୟସ୍ତବହୁଳ ଜୀବନରେ କିଛି ସମୟ ପାହାଡ଼ ଜଙ୍ଗଳଘେରା ଅଞ୍ଚଳ ବୁଲି ପ୍ରକୃତିକୁ ଅନୁଭବ କରିବା ପାଇଁ ଚାହୁଁଛନ୍ତି। ହେଲେ ବର୍ତ୍ତମାନ ଲଗାଣ ବର୍ଷାରେ ଗଜପତି ଜିଲାରେ ଯେଭଳି ଲଗାଣ ବର୍ଷା ସ୍ଥାନେ ସ୍ଥାନେ ତାଣ୍ଡବ ରଚିଛି । ଏଭଳି ସ୍ଥିତିରେ ପ୍ରଶାସନ କୌଣସି ଅଡ଼ୁଆ ପରିସ୍ଥିତିକୁ ସାମ୍ନା କରିବାକୁ ଚାହୁଁନି ଗଜପତି ପ୍ରଶାସନ ।