ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା: ଆତ୍ମସମର୍ପଣ କଲେ ୩୭ ମାଓବାଦୀ

ମାଲକାନଗିରି,୨୨ା୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନାରେ ୩୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୋଲିସ ପାଇଁ ଏହା ବଡ ସଫଳତା ହୋଇଥିବା ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା ଲାଗିଛି। ସେମାନଙ୍କ ମଧ୍ୟରେ ଛତିଶଗଡ଼ ମାଓବାଦୀ ସଂଗଠନର ୨ ଟପ୍‌ ମାଓବାଦୀ ନେତା ତଥା ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ କୋୟାଡା ସାମ୍ବାଇ ଓରଫ୍‌ ଆଜାନ୍‌ ଓ ଆପ୍ପାସି ନାରାୟଣ ଓରଫ ରମେଶ ରହିଛନ୍ତି।

ତେଲଙ୍ଗାନା ଡିଜିପିଙ୍କ ନିକଟରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ବର୍ଷ ଧରି ଏହି ମାଓବାଦୀମାନେ ସଂଗଠନରେ ରହି ଅନେକ ବଡ଼ ଘଟଣାରେ ସାମିଲ ରହିଥିଲେ। କିନ୍ତୁ ବର୍ତ୍ତମାନ ସଂଗଠନ ଦୁର୍ବଳ ହେବାରୁ ମାଓବାଦୀମାନେ ସଂଗଠନ ଛାଡ଼ି ସରକାରଙ୍କ ଥଇଥାନ ଅଭିଯାନରେ ସାମିଲ ହୋଇଥିବା କହିଛନ୍ତି। ଉକ୍ତ ମାଓବାଦୀଙ୍କ ମଧ୍ୟରେ ୩ଜଣ ଷ୍ଟେଟ କମିଟି ସଦସ୍ୟ, ୩ ଡିଭିସିଏମ୍‌ ମେମ୍ବର, ୯ ଏରିଆ କମିଟି ମେମ୍ବର ଓ ୨୨ଜଣ ପାର୍ଟି ମେମ୍ବର ରହିଛନ୍ତି। ୨ଜଣ ଆନ୍ଧ୍ର କ୍ୟାଡରଙ୍କ ବ୍ୟତୀତ ଅନ୍ୟମାନେ ଛତିଶଗଡ଼ ବିଜାପୁର ଓ ସୁକ୍‌ମା ଜିଲାର।

ଆତ୍ମସମର୍ପଣକାରୀମାନେ ଟପ୍‌ ମାଓନେତା ହିଡମାଙ୍କ ସହଯୋଗୀ ଥିଲେ ବୋଲି ତେଲଙ୍ଗାନା ଡିଜିପି କହିଛନ୍ତି। ହିଡମାଙ୍କ ଏନ୍‌କାଉଣ୍ଟର ପରେ ଭୟଭୀତ ହୋଇ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ଆଜାଦ୍‌ ସୂଚନା ଦେଇଛନ୍ତି। ମାଓବାଦୀମାନେ ୮ ବନ୍ଧୁକ ଓ ଅନ୍ୟ ମାଓବାଦୀ ସାମଗ୍ରୀ ସହ ଆତ୍ମସମର୍ପଣ କରିଛନ୍ତି। ସରକାରୀ ନିୟମ ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।