ନୂଆପଡ଼ା,୨୬ା୬ (ମକାରୁ ବେମାଲ):ଓଡ଼ିଶା ରାଜସ୍ବ ଅମଲାସଂଘର ଆହ୍ବାନକ୍ରମେ ଜିଲା ଅମଲା ସଂଘ ନୂଆପଡା ପକ୍ଷରୁ ବୁଧବାର ଜିଲାପାଳ ମଧୁସୂଦନ ଦାଶଙ୍କୁ ୧୦ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ସଭାପତି ତ୍ରିଲୋଚନ ରଥଙ୍କ ନେତୃତ୍ୱରେ ସମସ୍ତ ଜିଲା ସ୍ତରୀୟ ଅମଲା ଉପସ୍ଥିତ ଥିଲେ। ଆସନ୍ତା ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଜୁଲାଇ ୧୪ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଅମଲାମାନେ ଚେତାବନୀ ଦେଇଛନ୍ତି। ପ୍ରମୁଖ ଦାବି ମଧ୍ୟରେ ଜିଲା ସ୍ତରରେ କାର୍ଯ୍ୟରତ ଅମଲାଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ କନିଷ୍ଠ ରାଜସ୍ବ ଅମଲାଙ୍କ ମୂଳ ଦରମା ଓଆରଏସପି-୨୦୧୭ ନିୟମ ଅନୁଯାୟୀ ଲେଭଲ-୯କୁ ବୃଦ୍ଧି, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା-୮୮୯୮/୨୦୨୪ ମାର୍ଚ୍ଚ ୧୫ ଅନୁଯାୟୀ ସମସ୍ତ ଜିଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ଓ ତାଙ୍କ ପରିବାର ବର୍ଗଙ୍କ ପାଇଁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା,୨୦୨୦ ମସିହାରେ ଲାଗୁ କରା ଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ଉଚ୍ଛେଦ କରାଯାଇ ୧୯୯୦ରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ, ନୂତନ ପେନ୍ସନ ଯୋଜନା ବନ୍ଦ କରି ପୁରାତନ ପେନ୍ସନ ଯୋଜନାରେ ଅନ୍ତର୍ଭୁକ୍ତୀକରଣ ଆଦି ଅନ୍ୟତମ। ଏ ନେଇ ରା୍ଯଯ ସରକାରଙ୍କ ସହ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ଦାବି ପୂରଣ ହୋଇପାରି ନାହିଁ ା ଆଗାମୀ ୧୫ ଦିନ ଭିତରେ ଦାବି ପୂରଣ ନ ହେଲେ ଜୁଲାଇ ୭ରୁ ୧୧ ପର୍ଯ୍ୟନ୍ତ କଳାବ୍ୟାଜ୍ ପରିଧାନ ଓ ଜୁଲାଇ ୧୪ରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ସମୟରେ ଜିଲା ସମ୍ପାଦକ ମଦନ ସୁନ୍ଦର ସାହୁ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ମହାରଣା, ମମତା ଶବରଦ, ସଙ୍ଗିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା