ଜେଲରଙ୍କ ବଦଳି ଦାବିରେ କଏଦୀଙ୍କ ଧାରଣା

ଖୋର୍ଦ୍ଧାଅଫିସ,୩୦ା୭: ଖୋର୍ଦ୍ଧା ସବଜେଲ ମଧ୍ୟରେ ନିମ୍ନମାନର ଖାଦ୍ୟ ଓ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ଆଣି ଜେଲରଙ୍କ ବଦଳି ଦାବିରେ ବୁଧବାର ସବଜେଲ ପରିସରରେ କେତେଜଣ ଅନ୍ତେବାସୀ ଧାରଣା ଦେଇଥିଲେ। ଖବରପାଇ ଉପଜିଲାପାଳ ଅଶୋକ ବେହୁରିଆ ଯାଇ ବୁଝାଇବା ପରେ ମଧ୍ୟ କୌଣସି ପ୍ରଭାବ ନ ପଡ଼ିବାରୁ ଜିଲାପାଳଙ୍କୁ ଜଣାଇଥିଲେ। ଜିଲାପାଳ ଜେଲ ଡିଆଇଜିଙ୍କ ସହ କଥା ହେବା ପରେ ଧାରଣା ପାଇଁ ପ୍ରବର୍ତ୍ତାଉଥିବା ୧୯ଜଣ ଅନ୍ତେବାସୀଙ୍କୁ ଭୁବନେଶ୍ୱର ଜେଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ ନୂତନ ଭାବେ ଜେଲର କୃଷ୍ଣଚନ୍ଦ୍ର ସାହୁ ଯୋଗ ଦେଇଥିଲେ। କିଛିଦିନ ମଧ୍ୟରେ ଜେଲରେ ଚାଲିଥିବା ବେଆଇନ କାର୍ଯ୍ୟ ଚାଲିଥିବା ଜାଣିବା ପରେ ବିଭିନ୍ନ ପଦକ୍ଷେପ ନେଇଥିଲେ। ଜେଲ୍‌ ଭିତରେ ବ୍ରାଉନସୁଗାର କାରବାର, ମୋବାଇଲ ବ୍ୟବହାର, ଏପରି କି କେତେଜଣ କର୍ମଚାରୀଙ୍କ ଜ୍ଞାତ ସାରରେ ଜେଲ ଭିତରକୁ ବିଭିନ୍ନ ମାଦକଦ୍ରବ୍ୟ ଆସୁଥିବାରୁ ସେ ବିରୋଧ କରି ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ତାଙ୍କ ସୁପାରିସ କ୍ରମେ କେତେଜଣ ଜେଲ ଓ୍ବାର୍ଡର ଅନ୍ୟତ୍ର ବଦଳି ହେବା ସହ ଅନିୟମିତତା କାର୍ଯ୍ୟରେ ସମ୍ପୃକ୍ତ ଓାର୍ଡରଙ୍କୁ ଚାକିରିରୁ ନିଲମ୍ବିତ ମଧ୍ୟ କରାଯାଇଥିଲା। ତଥାପି ଜେଲରେ ବେଆଇନ କାରବାର ଚାଲିଥିବା ଜାଣି ଏହାକୁ ଜେଲର ବିରୋଧ କରିଥିଲେ। ଏଥିରେ କେତେଜଣ ଅନ୍ତେବାସୀ ଉଦ୍ଦେଶ୍ୟମୂଳକ ଭାବେ ଜେଲର ସେମାନଙ୍କୁ ଦୁର୍ବ୍ୟବହାର କରିବା, ମାନସିକ ନିର୍ଯାତନା, ନିମ୍ନମାନର ଖାଦ୍ୟ ଦେବା ପ୍ରଭୃତି ଅଭିଯୋଗ ଆଣି ତାଙ୍କ ବଦଳି ଦାବିରେ ଧାରଣା ଦେଇଥିଲେ। ଖବରପାଇ ଘଟଣାସ୍ଥଳକୁ ଉପଜିଲାପାଳ ଯାଇ ଧାରଣାରତ ଅନ୍ତେବାସୀଙ୍କୁ ବୁଝାଶୁଝା କରି ବିଫଳ ହୋଇଥିଲେ। ପରେ ଜିଲାପାଳ ଶୀତାଂଶୁ କୁମାର ରାଉତଙ୍କୁ ଜଣାଇବାରେ ସେ ଜେଲ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଡିଆଇଜି ତତ୍‌କ୍ଷଣାତ୍‌ ସବଜେଲ ମଧ୍ୟରେ ଧାରଣା କରିବାକୁ ପ୍ରବର୍ତ୍ତାଉଥିବା ୧୯ଜଣ ଅନ୍ତେବାସୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏ ନେଇ ଜେଲର କୃଷ୍ଣଚନ୍ଦ୍ର ସାହୁ କୁହନ୍ତି, କେତେଜଣ ଅନ୍ତେଃବାସୀଙ୍କୁ ବିଭିନ୍ନ ବେନିୟମ କାର୍ଯ୍ୟ କରିବାକୁ ବାରଣ କରିବାରୁ ସେମାନେ ଏଭଳି ପ୍ରତିବାଦ କରି ବିଭିନ୍ନ ପ୍ରକାର ଆରୋପ ଆଣିଥିବା ସେ ପ୍ରକାଶ କରିଛନ୍ତି।