ଦାରିଙ୍ଗବାଡ଼ିରେ ଶଟ୍‌ଡାଉନ କଡ଼ାକଡ଼ି ପାଳନ, ଦୋକାନ ବଜାର ବନ୍ଦ

ଦାରିଙ୍ଗବାଡ଼ି,୪।୭(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କନ୍ଧମାଳ ଜିଲାରେ ପ୍ରଶାସନ ପକ୍ଷରୁ ସପ୍ତାହକୁ ଶନିବାର ଏବଂ ରବିବାର ଶଟ୍‌ଡାଉନ ଘୋଷଣା କରାଯାଇଛି। ଏଥିସହ ବାହାର ଜିଲାରୁ ଆସୁଥିବା ଏବଂ ହଟସ୍ପଟ ସ୍ଥାନରୁ ଆସୁଥିବା ଲୋକଙ୍କ ଉପରେ ପ୍ରଶାସନ କଡ଼ା ନଜର ରଖିଛି। ତେବେ ଶଟ୍‌ଡାଉନ ଘୋଷଣା ହେବା ପରେ ଶନିବାର ଦାରିଙ୍ଗବାଡ଼ି ବ୍ଳକର ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଶଟ୍‌ଡାଉନରେ ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ କେବଳ ଜରୁରୀ ପରିସ୍ଥିତିରେ ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ଅନୁମତି ରହିଛି।

ସୂଚନାଯୋଗ୍ୟ, ସକାଳ ୬ଟାରୁ ଏହି ଶଟ୍‌ଡାଉନ ପାଳନ କରାଯାଉଥିବା ବେଳେ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝୀ ସଦଳବଳ ଉକ୍ତ ଥାନା ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରିଛନ୍ତି। ଦାରିଙ୍ଗବାଡ଼ିର ଚାରିଛକ ସମେତ ତିନିଛକ, ବଜାର, ଶିବମନ୍ଦିର ଛକ, ସିମନବାଡ଼ିର ଛକ ସମେତ ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ କରାଯାଇଛି। ସେହିପରି କନ୍ଧମାଳ-ଗଞ୍ଜାମ ସୀମା ଡବେରୀ ଏବଂ କନ୍ଧମାଳ-ଗଜପତି ସୀମା ଝିଜିଂରିଗୁଡ଼ାଠାରେ ପୋଲିସ ପକ୍ଷରୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବା ସହ ପାଟ୍ରୋଲିଂ କରାଯାଉଥିବା ସୂଚନା ରହିଛି।