ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା ସକାଶେ ଏସ୍ପି କିମ୍ବା ଡିଜି ସ୍ତରରେ ଅତି କମ୍ରେ ଦୁଇ ବର୍ଷ କେନ୍ଦ୍ରୀୟ ଡେପୁଟେଶନର ଦରକାର ପଡ଼ିବ। ଏହା ଏକ ସମ୍ପୂର୍ଣ୍ଣ ତଥା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ସୂଚିତ କରେ। ବର୍ଷ ବର୍ଷ ଧରି ଜିଲା ପୋଲିସ ବ୍ୟବସ୍ଥାକୁ ପ୍ରକୃତ ପ୍ରାମାଣିକ କ୍ଷେତ୍ର ଭାବରେ ଦେଖାଯାଉଥିଲା, ଯେତେବେଳେ କେନ୍ଦ୍ରୀୟ ନିଯୁକ୍ତି ଉପଯୋଗୀ ଅଥଚ ଇଚ୍ଛାଧୀନ ଥିଲା। ସେହି ସମନ୍ବୟ ଏବେ ଓଲଟିଯାଇଛି। ସରକାରୀ ଭାବେ ଏହାର କାରଣ ପୂରା ସ୍ପଷ୍ଟ। କେନ୍ଦ୍ରୀୟ ବାହିନୀ ଏବଂ ସଂସ୍ଥାଗୁଡ଼ିକରେ ମଧ୍ୟମ ଏବଂ ବରିଷ୍ଠ ସ୍ତରରେ ଅଧିକାରୀଙ୍କ ଅଭାବ ରହିଛି। ଖାଲି ପଦବୀ ବୃଦ୍ଧି ପାଉଛି। କେନ୍ଦ୍ର ବିଶ୍ୱାସ କରୁଛି ଯେ, ରାଜ୍ୟଗୁଡ଼ିକ ଅଧିକ ସଂଖ୍ୟକ ଯୋଗ୍ୟ ଅଧିକାରୀ ପଠାଉନାହାନ୍ତି। ତେଣୁ ଏହାର ସମାଧାନ ହେଉଛି ଡେପୁଟେଶନକୁ ଅନିବାର୍ଯ୍ୟ କରିବା। କିନ୍ତୁ ଏହାର ପ୍ରଭାବ କର୍ମଚାରୀଙ୍କ ଅଭାବଠାରୁ ଯଥେଷ୍ଟ ବେଶି। କେନ୍ଦ୍ରୀୟ ଡେପୁଟେଶନକୁ ବାଧ୍ୟତାମୂଳକ କରିବାରେ ବିପଦ ରହିଛି। ପୋଲିସ ବ୍ୟବସ୍ଥାର ଆହ୍ବାନଗୁଡ଼ିକ କେବଳ ଡେସ୍କକୈନ୍ଦିକ ହୋଇ ରହିଥିବା ଏକ ଦେଶରେ ଏହା ଭଲ ହୋଇ ନ ପାରେ । ସିଏପିଏଫ୍ରେ ଧୀରେ ଧୀରେ ଆଇପିଏସ୍ ଡେପୁଟେଶନ ହ୍ରାସ କରିବା ଏବଂ କ୍ୟାଡର ଅଫିସରଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଏକ ସ୍ପଷ୍ଟ ବିରୋଧାଭାସ ମଧ୍ୟ ରହିଛି। ଅଧିକ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ର ପଠାଇବା ଏବେ ଜଟିଳ ହୋଇଯାଇଛି। ତା’ପରେ ରାଜ୍ୟଗୁଡ଼ିକ ସର୍ବଦା ସେମାନଙ୍କ ଆଇପିଏସ୍ ଅଧିକାରୀଙ୍କୁ ପ୍ରଶାସନିକ ଏବଂ ରାଜନୈତିକ କାରଣରୁ ସୁରକ୍ଷା ଦେଇଆସିଛନ୍ତି। ତେବେ ଅଧିକାରୀମାନଙ୍କୁ ଆଗକୁ ବଢ଼ିବା ପାଇଁ ଏବେ କେନ୍ଦ୍ରୀୟ ଅଭିଜ୍ଞତା ଦରକାର, କିନ୍ତୁ ପ୍ରକୃତରେ ସେହି ଅଭିଜ୍ଞତା ପାଇବାକୁ ହେଲେ ରାଜ୍ୟ ସରକାରଙ୍କୁ ସେମାନଙ୍କୁ କେନ୍ଦ୍ରକୁ ପଠାଇବାକୁ ପଡ଼ିବ, ଯାହା କେବେ ବି ନିଶ୍ଚିତ ନୁହେଁ।
ବିଦେଶରେ ଛୁଟି କାଟିଲେ
ନୂତନ ବର୍ଷ ପୂର୍ବରୁ ବିହାରର ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀମାନଙ୍କର ଏକ ଦଳ ସରକାରୀ ଭାବେ ଅନୁମୋଦିତ ଛୁଟିରେ ବିଦେଶକୁ ଯାଇ ଆମେରିକା ଏବଂ ବାଲି ସମେତ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିଲା। ଏହିସବୁ ଯାତ୍ରା ପାଇଁ ଔପଚାରିକ ଭାବରେ ଅନୁମତି ଦିଆଯାଇଥିଲା ଏବଂ କେତେକ କ୍ଷେତ୍ରରେ ଛୁଟି ୪୨ ଦିନ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ଏହାଯୋଗୁ ଫାଇଲଗୁଡ଼ିକ କାମ ନ ହୋଇ ପଡ଼ି ରହୁଥିଲା। ଛୁଟି ଦେବାରେ କୌଣସି ଆଇନ ଭଙ୍ଗ ହୋଇନାହିଁ, କୌଣସି ପ୍ରକ୍ରିୟାକୁ ଏଡାଇ ଦିଆଯାଇ ନାହିଁ। କାଗଜପତ୍ର ଠିକ୍ ଥିଲା, ଅନୁମତି ମଧ୍ୟ ଦିଆଯାଇଥିଲା ଏବଂ ବ୍ୟବସ୍ଥା ଅନୁଯାୟୀ ଯାହା କରାଯିବା କଥା ତାହା ସବୁ ଠିକ୍ ଭାବରେ ହୋଇଥିଲା। ଏହା ବାବୁମାନଙ୍କ ଜାଣତରେ ହୋଇଥିଲା। ସବୁକିଛି ସ୍ପଷ୍ଟ, ଆଇନଗତ ଏବଂ ତ୍ରୁଟିଶୂନ୍ୟ ଥିଲା। ତଥାପି ବିହାରରେ ସ୍ଥାୟୀ ଭାବେ ପ୍ରଶାସନିକ ଚାପ, ଆଇନଶୃଙ୍ଖଳା ଚ୍ୟାଲେଞ୍ଜ ଏବଂ ନିୟମିତ ଶାସନ ମୁଣ୍ଡବିନ୍ଧାର କାରଣ ହୋଇ ରହିଥିବାବେଳେ ବରିଷ୍ଠ ଅମଲାତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ବିଦେଶରେ ଛୁଟି କାଟିବା ନିଶ୍ଚିତ ଭାବରେ ଏକ ଚିନ୍ତାର ବିଷୟ। ଛୁଟିନେବା ଅଧିକାରକୁ କେହି ବିରୋଧ କରନ୍ତି ନାହିଁ। କିନ୍ତୁ ଯେତେବେଳେ ଅନେକ ବରିଷ୍ଠ ଅଧିକାରୀ ଏକକାଳୀନ କାମରୁ ଦୂରେଇ ରୁହନ୍ତି, ସେତେବେଳେ ତାହାକୁ ସାମୂହିକ ପଳାୟନ ଭାବେ ଦେଖାଯାଏ। ବାବୁମାନେ ଏବେ ଫେରି ଆସିଛନ୍ତି ଏବଂ ସେମାନଙ୍କ ପାସ୍ପୋର୍ଟଗୁଡ଼ିକ ସୁରକ୍ଷିତ ହୋଇ ରହିଛି ।
ଆଶା କରାଯାଉଛି, ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ହୁଏତ ଆର୍କଟିକ୍ କ୍ରୁଜ ହୋଇପାରେ।
ବୈଷୟିକ ତ୍ରୁଟି
ଆପଣ ସେଲ୍ର ନେତୃତ୍ୱ ନେଉଥିବାବେଳେ ଏକ ଛୋଟ ବୈଷୟିକ ତ୍ରୁଟି ମଧ୍ୟ ବଡ଼ ଷଡ଼ଯନ୍ତ୍ର ତତ୍ତ୍ୱକୁ ସାମ୍ନାକୁ ଆଣିପାରେ। ଜାନୁଆରୀ ଶେଷ କାର୍ଯ୍ୟ ଦିବସରେ ଠିକ୍ ଏପରି ଘଟିଥିଲା। ସତେବେଳେ ସେଲ୍ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଅମରେନ୍ଦୁ ପ୍ରକାଶଙ୍କ ନାମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଚୟନ ବୋର୍ଡ (ପିଇଏସ୍ବି) ୱେବ୍ସାଇଟରୁ କିଛି ସମୟ ପାଇଁ ଗାଏବ ହୋଇଯାଇଥିଲା। ଏହାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଅମରେନ୍ଦୁଙ୍କୁ ବାହାର କରି ଦିଆଯାଇଛି ନା ତାଙ୍କୁ ବାଦ୍ ଦେବା ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଶ୍ନ ଉଠିଥିଲା। ଦିନର ଅଧିକାଂଶ ସମୟ ଗୁଜବ ଲାଗି ରହିଲା ଏବଂ ଶିଳ୍ପ ପର୍ଯ୍ୟବେକ୍ଷକମାନେ ଏହାକୁ ବ୍ୟାପକ କରିବାରେ ଲିପ୍ତ ରହିଲେ। ବାସ୍ତବ କଥା ହେଉଛି ପ୍ରକାଶଙ୍କ ବିବରଣୀ ସବୁ ସମୟରେ ସେଲ୍ର ୱେବ୍ସାଇଟରେ ଅପରିବର୍ତ୍ତିତ ରହିଥିଲା। କିନ୍ତୁ ପିଇଏସ୍ବି ପୋର୍ଟାଲ, ଯାହାକୁ ପ୍ରାୟତଃ ଶୀର୍ଷ ପିଏସ୍ୟୁ ନିଯୁକ୍ତିରେ ଚୂଡ଼ାନ୍ତ କର୍ତ୍ତୃପକ୍ଷ ଭାବରେ ବିବେଚନା କରାଯାଏ, ସେଥିରେ ତ୍ରୁଟି ଦେଖାଦେଇଥିଲା। ସ୍ବଳ୍ପ ସମୟ ପାଇଁ ଓ୍ବେବ୍ସାଇଟରୁ ତାଙ୍କ ନାମ ଅନ୍ତର୍ଦ୍ଧାନ ହେବା ଘଟଣା ସମାଲୋଚକଙ୍କୁ ଗୁଜବ ପାଇଁ ସୁଯୋଗ ଦେଇଥିଲା, ଯେଉଁମାନେ ଅନେକ ସମୟରେ ପ୍ରକାଶଙ୍କ କାର୍ଯ୍ୟକାଳର ସମୟ ପୂର୍ବରୁ ଶେଷ ହେବାର ସଙ୍କେତ ଦେଇଆସିଛନ୍ତି। ଏହି ସମୟରେ ସମର୍ଥକମାନେ କିଛି ସମୟ ଚିନ୍ତାରେ ପଡ଼ିଗଲେ। ପ୍ରକାଶ ଗତ କିଛି ସପ୍ତାହ ଧରି ଚାପରେ ଥିବାବେଳେ ସାଧାରଣରେ ଚର୍ଚ୍ଚାରେ ଅଛନ୍ତି, ଯାହାଙ୍କ ପାଇଁ ତାଙ୍କୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବା ସ୍ବାଭାବିକ। ସେଲ୍ର କିଛି ବ୍ୟକ୍ତି ତାଙ୍କ ନେତୃତ୍ୱ ଉପରେ ସନ୍ଦେହ ସୃଷ୍ଟି କରିବା ସେମାନଙ୍କ ନ୍ୟସ୍ତସ୍ବାର୍ଥ ମନୋଭାବକୁ ସୂଚିତ କରେ। ସନ୍ଧ୍ୟା ସୁଦ୍ଧା ରହସ୍ୟର ଅନ୍ତ ଘଟିଲା। ନିଖୋଜ ନାମଟି ପୁଣି ସାମ୍ନାକୁ ଆସିଗଲା ଏବଂ ସେଲ୍ ମୁଖ୍ୟାଳୟରେ ପୁଣି କାମ ଆରମ୍ଭ ହୋଇଗଲା।
Email: dilipcherian@gmail.com