ଗରିବଙ୍କ ପାଇଁ ନିୟମ କଡ଼ା, ଧନୀଙ୍କୁ ଦୟା: ଗାଡ଼ି ମାଲିକଙ୍କୁ କୋହଳ ଅଭିଯୋଗ

ଦାରିଙ୍ଗବାଡି,୨୪।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଜବରଦଖଲ ଉଚ୍ଛେଦ କରାଯିବା ଘଟଣାରେ ଏବେ ମଧ୍ୟ କିଛି ଅମାନିଆ ପ୍ରଭାଶାଳୀ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ରଖିଛନ୍ତି। ପ୍ରକାଶ ଯେ, ବୁଧବାର ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଧିରଜ ପାତ୍ରଙ୍କ ଆବାହନ କ୍ରମେ ବିଡ଼ିଓ ପ୍ରୀତିରଞ୍ଜନ ରଥ ଆଇଆଇଆସି ସଂଗ୍ରାମ କେଶରୀ ଜେନା ପ୍ରମୁଖ ସଦଳବଳ ଜବରଦଖଲକାରୀଙ୍କୁ ଉଛେଦ କରିଥିଲେ। ଅଧିକାଂଶ ଗରିବ ଶ୍ରେଣୀର ବ୍ୟବସାୟୀ ମାନେ ୫୯ନଂ ଜାତୀୟ ରାଜପଥ କଡରେ ପନିପରିବା ଓ ଫଳ ଷ୍ଟେସେନାରୀ ଆଦି ବିକ୍ରିବଟା କରୁଥିଲେ। ସେମାନେ ପ୍ରଶାସନର କଥାରେ ଉଚ୍ଛେଦ ଆପେ ଆପେ ହୋଇଥିବାବେଳେ ଏବେ ମଧ୍ୟ କିଛି ପ୍ରଭାବଶାଳୀ ବ୍ୟକ୍ତି ରାଜପଥ ଉପରେ ସିଡ଼ି କରି ନିଜ ଘରକୁ ଯାତାୟାତ କରୁଛନ୍ତି। ଯିଏ ଏହି ବ୍ୟକ୍ତି ସିଡ଼ି ରାଜପଥର ଡ୍ରେନ ଉପରେ ସିଡ଼ି ନିର୍ମାଣ କରି ରଖିଛନ୍ତି ସେ କୁଆଡେ ତହସିଲଦାର କାର୍ଯ୍ୟାଳୟରେ ନିଜ ଗାଡି ଭଡା ସୂତ୍ରରେ ଦେଇଛନ୍ତି। ତେଣୁ ସେ ତାଙ୍କ ପ୍ରଭାବ ତହସିଲଦାରଙ୍କ ଉପରେ ରଖିଥିବାରୁ ତହସିଲଦାର ଉକ୍ତ ଅମାନିଆ ପ୍ରଭାବଶାଳୀଙ୍କୁ ଗରିବ ଲୋକଙ୍କ ଅପେକ୍ଷା ଅଧିକା ତାଙ୍କୁ ଦୟା ଦେଖାଉଥିବା ଦାରିଙ୍ଗବାଡି ବଜାରରେ ଚର୍ଚ୍ଚା ଚାଲିଛି।
ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସଙ୍କ ନିର୍ଦ୍ଦେଶକୁ ତହସିଲଦାର ଅଣଦେଖା କରି ଗରିବ ଶ୍ରେଣୀ ପାଇଁ ଗୋଟିଏ ନିୟମ ଓ ପ୍ରଭାବଶାଳୀଙ୍କ ପାଇଁ ଗୋଟିଏ ନିୟମ ପାଳନ କରୁଥିବା ଏବେ ସବୁଠି ଚର୍ଚ୍ଚା ହେଉଛି। ଏନେଇ ତହସିଲଦାରଙ୍କ ପ୍ରତିକ୍ରିୟା ନିଆଯିବାରୁ ସିଡ଼ି ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ତେବେ ଯଦି ନିର୍ଦ୍ଦେଶ ଦିଆଯାଇଛି ତେବେ କାହିଁକି ରାଜପଥର ଡ୍ରେନ ଉପରେ ରହିଥିବା ସିଡ଼ିକୁ ପ୍ରଶାସନ ହଟାଇବାରେ ବିଳମ୍ବ କରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ଜବରଦଖଲ ଉଚ୍ଛେଦ ପରେ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ୯ ଜଣ ପନିପରିବା ବ୍ୟବସାୟୀଙ୍କୁ ଯେଉଁମାନଙ୍କୁ ଉଚ୍ଛେଦ କରାଯାଇଛି, ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ପିଣ୍ଡି ଯୋଗାଇଦିଆଯାଇଛି। ସେହିପରି ୪ ଜଣ ଫଳ ଦୋକାନ, ୩ ଜଣଙ୍କୁ ଛାତ ଥିବା ପିଣ୍ଡି ଦିଆଯାଇଥିବାବେଳେ ପୁର୍ବରୁ ଗୋଟିଏ ଦଶନ୍ଧି ପୂର୍ବରୁ ୨୬ ଜଣ ଦୋକାନ ଗୃହ ପାଇଁ ଆବେଦନ କରିଥିଲେ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ଦାରିଙ୍ଗବାଡି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରୋଶନ କୁମାର ରଥ କହିଛନ୍ତି। ସେ ଆହୁରି କହିଛନ୍ତି, ମୋଟ ୧୨୮ ଜଣ ଆବେଦନ କରିଛନ୍ତି ସେ ସବୁକୁ ଯାଞ୍ଚ କରାଯାଉଛି। ଏଥି ସହ ରବିବାର ଦିନ ନୂତନ ସ୍ଥାନ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଯୋଗାଇ ଦିଆଯାଇଥିବା ହାଟ ପିଣ୍ଡିରେ ନୂତନ ହାଟ ଖୋଲିବ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily