କଡ଼ା ନିର୍ଦ୍ଦେଶ: ନିୟମ ନ ମାନିଲେ ୩୦ ତାରିଖରୁ ଦୈନିକ ୫୦୦ ଜରିମାନା

ରାୟଗଡ଼ା,୬।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରାଞ୍ଚଳରେ ଓଡ଼ିଆ ନାମଫଳକକୁ ବାଧ୍ୟତାମୂଳକ କରିଛି ପୌରପରିଷଦ। ଏନେଇ ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ନେତୃତ୍ୱରେ ଏକ ଟିମ୍‌ ଶନିବାର ରାୟଗଡ଼ା ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ବୁଲି ଓଡ଼ିଆ ନାମଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୧୮୧୪୪ରେ ମିଳିଥିବା ନିର୍ଦ୍ଦେଶନାମା ଅନୁଯାୟୀ ଦୋକାନ ଏବଂ ବାଣିଜିକ ପ୍ରତିଷ୍ଠାନମାନଙ୍କ ନାମଫଳକରେ ଓଡ଼ିଆ ଭାଷାର ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି।

ସାଇନବୋର୍ଡର ସମୁଦାୟ କ୍ଷେତ୍ରଫଳର ଅନ୍ୟୁନ ୬୦ ପ୍ରତିଶତ ଓଡିଆ ଭାଷାରେ ଲିପିବଦ୍ଧ ରହିବା ଆବଶ୍ୟକ। ଏହି ନିୟମକୁ ଅନୁପାଳନ ପାଇଁ ସରକାରୀ ପ୍ରୋତ୍ସାହନ ରୂପେ ଟ୍ରେଡ ଲାଇସେନ୍ସ ନବୀକରଣ ସମୟରେ ୫୦ ପ୍ରତିଶତ ରିହାତି ପ୍ରଦାନ କରିବା ବ୍ୟବସ୍ଥା ରହିଛି ବୋଲି ନିର୍ବାହୀ ଅଧିକାରୀ କୁଲଦୀପ କହିଛନ୍ତି।

ଏହି ନିର୍ଦ୍ଦେଶନାମାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ମାଇକ ଯୋଗେ ପ୍ରଚାର କରାଯିବା ସହିତ ଏନଫୋର୍ସମେଣ୍ଟ ଟିମ୍‌ ଦ୍ୱାରା ପ୍ରତିଷ୍ଠାନଗୁଡ଼ିକୁ ସଚେତନ କରାଯାଉଛି ବୋଲି କୁଲଦୀପ କହିଛନ୍ତି। ଯଦି ଏହି ସଚେତନତା ଓ ନିର୍ଦ୍ଦେଶନାମାକୁ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଖାତିର ନ କରନ୍ତି ତେବେ ସେପ୍ଟେମ୍ବର ୩୦ରୁ ଦୈନିକ ୫୦୦ ଟଙ୍କା ଜରିମାନା ପକାଯିବ ବୋଲି କହିଛନ୍ତି। ତେଣୁ ପୌର ପରିଷଦ ଅଧୀନ ସମସ୍ତ ବ୍ୟବସାୟୀ ତଥା ବାଣିଜି୍ୟକ ପ୍ରତିଷ୍ଠାନ ଯଥାଶୀଘ୍ର ଓଡିଆରେ ନାମ ଫଳକ ଲେଖିବା ପାଇଁ ପୌରାଧ୍ୟ ପି. ମହେଶ ପଟ୍ଟନାୟକ କହିଛନ୍ତି।