ଦେବଗଡ଼,୯ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳରେ ରାସ୍ତା ଅବରୋଧ କରି ବ୍ୟବସାୟୀମାନଙ୍କ ବିରୋଧରେ ପୌର ପରିଷଦ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସ୍ବରୂପ ପୌରାଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ ଦୋକାନ ଖୋଲି ରାସ୍ତା ଉପରେ ସାମଗ୍ରୀ ରଖୁଥିବା ବ୍ୟବସାୟୀଙ୍କର ବିଭିନ୍ନ ଦୋକାନ ସାମଗ୍ରୀ ଜବତ କରାଯାଇଛି। ଦେବଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ବାଇଁ, ଦେବଗଡ଼ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀଙ୍କ ସହିତ ପୌର ପ୍ରଶାସନ ଏବଂ ପୋଲିସ ସଦଳବଳ ପୌରାଞ୍ଚଳର ମୁଖ୍ୟ ବଜାର ଓ ଆଖପାଖ ଅଞ୍ଚଳରେ ଯାଞ୍ଚ କରିବା ସହ ଦୋକାନ ବାହାରେ ବିଭିନ୍ନ ସାମଗ୍ରୀ ରଖି ରାସ୍ତା ଅବରୋଧ କରିଥିବା ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି ସମୟରେ ରାସ୍ତା ଉପରେ ସାମଗ୍ରୀ ରଖି ରାସ୍ତା ଅବରୋଧ କରିଥିବା ଦୁଇଜଣ ବ୍ୟବସାୟୀଙ୍କ ବିଭିନ୍ନ ସାମଗ୍ରୀ ଜବତ କରିଥିଲେ। ପରେ ଉକ୍ତ ବ୍ୟବସାୟୀ ଦ୍ୱୟଙ୍କଠାରୁ ୪ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରିବା ପରେ ଜବତ ହୋଇଥିବା ଉକ୍ତ ସାମଗ୍ରୀ ଫେରସ୍ତ କରିବା ସହ ସହିତ ଭବିଷ୍ୟତରେ ଏହାର ପୁନରାବୃତ୍ତି ନ କରିବାକୁ ଚେତାବନୀ ଦେଇଥିଲେ। ଏହି ସମୟରେ କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଆସିଷ୍ଟାଣ୍ଟ କଲେକ୍ଟର ରେଖା ମହାନ୍ତ ଉପସ୍ଥିତ ଥିଲେ। ପୌର ପରିଷଦ ପକ୍ଷରୁ ପୌରାଞ୍ଚଳରେ ନିୟମିତ ଯାଞ୍ଚ କରାଯିବ ଏବଂ ରାସ୍ତା ଅବରୋଧକାରୀ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଅନେକ ବ୍ୟବସାୟୀ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସାମଗ୍ରୀକୁ ବାହାରେ ପ୍ରଦର୍ଶନ କରୁଛନ୍ତି। ଫଳରେ ପୌରାଞ୍ଚଳର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି। ଏହି ସମସ୍ୟା ଦୂର କରିବା ନିମନ୍ତେ ଦୋକାନ ବାହାରେ କିମ୍ବା ରାସ୍ତା ଉପରେ କୌଣସି ସାମଗ୍ରୀ ନ ରଖିବାକୁ ପୌର ପରିଷଦ ପକ୍ଷରୁ ପୂର୍ବରୁ ଏକାଧିକ ବାର ବ୍ୟବସାୟୀମାନଙ୍କୁ ସଚେତନ କରାଯାଇଥିଲା। ଏଥିସହ ଏହାକୁ ଅମାନ୍ୟ କଲେ ସେମାନଙ୍କର ସାମଗ୍ରୀ ଜବତ କରାଯିବାକୁ ଚେତାବନୀ ଦିଆଯାଇଥିଲା।