ଗଞ୍ଜାମ,୨୯।୧୦ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସାନ ବଜାରଠାରେ ମାଛ ମାର୍କେଟ ଅବସ୍ଥିତ। ବହୁ ଦାବି ପରେ ଏନଏସି ପ୍ରଶାସନ ପକ୍ଷରୁ ମାଛ ବେପାରୀମାନଙ୍କ ଲାଗି ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି । ହେଲେ ସାମାନ୍ୟ ବର୍ଷା ହେଲେ ଭେଣ୍ଡିଂ ଜୋନ୍ ସମୁଖରେ କୃତ୍ରିମ ପୋଖରୀ ସୃଷ୍ଟି ହେଉଛି । ଯାହା ଫଳରେ ମାଛ କିଣିବାକୁ ଯାଉଥିବା ଲୋକମାନଙ୍କୁ ଉକ୍ତ ମଇଳା ପାଣିରେ ଯିବାକୁ ପଡୁଛି । ଏଥିସହ ସେଠାରେ ଷ୍ଟ୍ରିଟ ଲାଇଟ ଖୁଣ୍ଟ ଥିଲେ ମଧ୍ୟ ଦୀର୍ଘ ମାସ ହେବ ତାହା ଜଳୁ ନ ଥିବା ତିନି ନମ୍ବର ଭେଣ୍ଡିଂ ଜୋନ୍ ମାଛ ବ୍ୟବସାୟୀ କୃଷ୍ଣ ବେହେରା ଅଭିଯୋଗ କରିଛନ୍ତି। ମୋବାଇଲ ଟର୍ଚ୍ଚ ଲାଇଟରେ ମାଛ ବିକ୍ରି କରିବାକୁ ପଡୁଛି । ସନ୍ଧ୍ୟା ହେଲେ ଦୋକାନ ବନ୍ଦ କରିବାକୁ ପଡୁଛି ବୋଲି ବ୍ୟବସାୟୀ କହିଛନ୍ତି । ଏନେଇ ଏନଏସି ପ୍ରଶାସନଠାରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଭେଣ୍ଡିଂ ଜୋନ୍ରେ ଚିକେନ ସେଣ୍ଟରର ବିଶ୍ୱମ୍ବର ଗୌଡ଼ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ସ୍ଥାୟୀ ସମାଧାନ କରାନଗଲେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସୁରେନ୍ଦ୍ର ବେହେରା, ରମେଶ ବେହେରା, ବୀର ବର ବେହେରା, ରାମ ବେହେରା ପ୍ରମୁଖ ସୂଚନା ଦେଇଛନ୍ତି ।
\