ନ୍ୟୁୟର୍କ/ଓ୍ବାଶିଂଟନ୍,୨୨ା୯: ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରି ଯୁଦ୍ଧ ବନ୍ଦ କରାଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ଦୋହରାଇଛନ୍ତି। ଏଥିସହ ସେ ୭ ଯୁଦ୍ଧ ବନ୍ଦ କରାଇଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ଉଚିତ ବୋଲି ଟ୍ରମ୍ପ୍ ଦାବି କରିଛନ୍ତି।
ଆମେରିକାନ୍ କୋର୍ନେଷ୍ଟୋନ୍ ଇନ୍ଷ୍ଟିଚ୍ୟୁଟ୍ ଫାଉଣ୍ଡର୍ସ ଡିନରରେ ଶନିବାର ଯୋଗଦେଇ ଟ୍ରମ୍ପ୍ କହିଛନ୍ତି, ବିଶ୍ୱ ମଞ୍ଚରେ ଆମେ ପୁଣି ଏପରି କାର୍ଯ୍ୟ କରୁଛୁ, ଯଦ୍ଦ୍ବାରା ଅଭୂତପୂର୍ବ ସମ୍ମାନ ମିଳୁଛି। ଆମେ ଶାନ୍ତି ଚୁକ୍ତି ଏବଂ ଯୁଦ୍ଧ ବନ୍ଦ କରାଉଛୁ। ଭାରତ-ପାକିସ୍ତାନ ଏବଂ ଥାଇଲାଣ୍ଡ-କାମ୍ବୋଡିଆ ମଧ୍ୟରେ ଯୁଦ୍ଧ ଆମେ ବନ୍ଦ କରାଇଛୁ। ପ୍ରକଶ ଯେ. ଆତଙ୍କବାଦୀଙ୍କ ପହଲଗାମ୍ ଆକ୍ରମଣ ପରେ ମେ’ ୭ରେ ଭାରତ-ପାକିସ୍ତାନ ମୁହଁାମୁହିଁ ହୋଇଥିଲେ। ମେ’ ୧୦ ଅପରାହ୍ନରେ ଏହି ସାମରିକ ସଂଘର୍ଷର ବିରାମ ହୋଇଥିଲା। ଅସ୍ତ୍ରବିରତି ନେଇ ଭାରତ ପକ୍ଷରୁ ଘୋଷଣା କରାଯିବା ପୂର୍ବରୁ ଟ୍ରମ୍ପ୍ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ସେବେଠୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରାଇଥିବା ବିଷୟ ଟ୍ରମ୍ପ୍ ୪୦ ଥର ଦାବି କଲେଣି। ଅନ୍ୟପକ୍ଷେ ଭାରତ ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ନ ଥିବା କହିଆସୁଛି।