ଭଗବାନ୍‌ଙ୍କୁ ବି ଛାଡ଼ିଲେନି: ହୁଣ୍ଡି ଭାଙ୍ଗି ନେଇଗଲେ…

ଦାରିଙ୍ଗବାଡି,୨୧।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡିଠାରେ ଥିବା ଶିବ ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ଦାରିଙ୍ଗବାଡି ଥାନା ଅଧିକାରୀ ତଥା ଡିଏସପି କନକ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଜୟନ୍ତ କୁମାର ସେଠି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରକାଶ ଯେ, ପ୍ରତିଦିନ ଭଳି ପୂଜାରୀ ସନ୍ଧ୍ୟା ଆଳତୀ ପରେ ମନ୍ଦିର ତାଲା ପକାଇ ଘରକୁ ଯାଇଥିଲେ। ରବିବାର ଭୋରରେ ପୁଣି ମନ୍ଦିରକୁ ଆସିବା ପରେ ସେ ଦେଖିଲେ ମନ୍ଦିର ଫାଟକ ତାଲା ଭଙ୍ଗାଯାଇଛି। ଭିତରେ ପଶି ଦେଖିଲା ବେଳେ ମନ୍ଦିର ଭିତରେ ଥିବା ହୁଣ୍ଡିକୁ ତଡାଯାଇ ଲୁଟ ହୋଇଛି। ପୂଜାରୀ ଏ ନେଇ ଗାଁ ଲୋକ ଏବଂ ଶିବ ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ। ଖବର ପାଇ କମିଟିର ସଭାପତି ଅଜିତ କୁମାର ସାହୁ ଥାନାକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ୨ ବର୍ଷ ହେଲା ଉକ୍ତ ହୁଣ୍ଡିକୁ ଖୋଳାଯାଇ ନ ଥିବାରୁ ଲକ୍ଷାଧିକ ଟଙ୍କା, ସୁନା, ରୁପା ଥାଇ ପାରେ ବୋଲି ସଭାପତି ସାହୁ କହିଛନ୍ତି। ପାର୍ବଣ ପୂର୍ବରୁ ଅଞ୍ଚଳରେ ଚୋରି ବୃଦ୍ଧିକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି।