ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ ସଂସ୍କୃତି, ଐତିହ୍ୟ, ପରମ୍ପରା, କଳା ଭାସ୍କର୍ଯ୍ୟ ଆଦିକୁ ଅତି ନିଖୁଣ ଭାବରେ ଏପରି ଖୋଦନ କରୁଥିଲେ ଯେ ତାହା ଜୀବନ୍ତ ଦୃଶ୍ୟମାନ ସହ ବାସ୍ତବତା ମଧ୍ୟ ବହନ କରୁଥିଲା। ଆଜିକାଲି ସର୍ବଶ୍ରେଷ୍ଠ ବୈଜ୍ଞାନିକ ପଦ୍ଧତି ଅବଲମ୍ବନକରି ହେଉଥିବା କୌଣସି ନିର୍ମାଣ ୧୦୦ ବର୍ଷରୁ ଅଧିକ ତିଷ୍ଠିପାରୁ ନ ଥିବା ବେଳେ ସେମାନଙ୍କ ଦ୍ବାରା ବହୁ ଶହ ବର୍ଷ ପୂର୍ବରୁ ରାଜ୍ୟ ଓ ରାଜ୍ୟ ବାହାରେ ନିର୍ମିତ ଶତାଧିକ ବିଶାଳ ଆକୃତିର ମନ୍ଦିର ଏ ଯାବତ୍ ସେମାନଙ୍କ ଗାଥା ବହନକରି ସଦର୍ପେ ଦଣ୍ଡାୟମାନ ରହିଛି। ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ସହ ରାଜାରାଣୀ ମୁକ୍ତେଶ୍ୱର ଭଳି ବହୁ ମନ୍ଦିର, ମୟୂରଭଞ୍ଜର ଖିଚିଂଠାରେ ଥିବା କିଚକେଶ୍ୱରୀ ମନ୍ଦିର, କଳାହାଣ୍ଡିର ମାଣିକେଶ୍ୱରୀ ମନ୍ଦିର, ସମ୍ବଲପୁର ଓ ବଲାଙ୍ଗୀରରେ ଥିବା ପାଟଣେଶ୍ୱରୀ ମନ୍ଦିର ପରି ଅସଂଖ୍ୟ ମନ୍ଦିର ଓଡ଼ିଶାର କୋଣ ଅନୁକୋଣ ସହ ବାହାର ରାଜ୍ୟରେ ମଧ୍ୟ ନିର୍ମିତ ହୋଇଥିଲା। ସପ୍ତାଶ୍ଚଯ୍ୟ ମଧ୍ୟରେ ସ୍ଥାନ ପାଇ ନ ଥିଲେ ବି କୋଣାର୍କ ମନ୍ଦିରର କଳାନୈପୁଣ୍ୟ ପୃଥିବୀ ପ୍ରସିଦ୍ଧ। କିନ୍ତୁ କଳାପାହାଡ଼ର ଆକ୍ରମଣ ଯୋଗୁ ଅନେକ ମନ୍ଦିର କ୍ଷତିଗ୍ରସ୍ତ ହୋଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ କିଛି ମନ୍ଦିର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୁଣି ପବନ ପ୍ରଭାବରେ କୋଣାର୍କ ମନ୍ଦିର ମଧ୍ୟ ଭାଙ୍ଗିଗଲା। ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଲୁଣି ପବନ ପ୍ରଭାବରୁ ରକ୍ଷାକରିବା ପାଇଁ ଚୂନ ଲେପ ଦିଆଯାଇଥିଲା। ଦେଶ ସ୍ବାଧୀନ ହେବାପରେ ରାଜ୍ୟର ଅନେକ ମନ୍ଦିରକୁ ପୁରାତନ କୀର୍ତ୍ତିରାଜି ଘୋଷଣା କରାଯାଇ ତା’ର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ଦିଆଗଲା। ଆଉ ଆଶ୍ଚର୍ଯ୍ୟଜନକ ଭାବରେ ସେଇଦିନରୁ ଅନେକ କୀର୍ତ୍ତିରାଜି ଅପହୃତ ହେବା ଆରମ୍ଭ ହେଲା। ଶ୍ରୀଜଗନ୍ନାଥ ମନ୍ଦିର ମରାମତି ସମୟରେ ଅନେକ ମୂର୍ତ୍ତି ଅପହୃତ ହୋଇଥିବା ସମୟାନ୍ତରରେ ଖବର ଓ ଅଭିଯୋଗ ଭାବରେ ଗଣମାଧ୍ୟମରେ ପ୍ରକାଶ ପାଇଛି। ଐତିହ୍ୟ ପ୍ରକଳ୍ପ ସମୟରେ ଅନେକ ମଠର ଖନନ କାର୍ଯ୍ୟ ରାତିରେ କରାଗଲା। ସେତେବେଳେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା କ’ଣ ଉଦ୍ଧାରକଲା ତାହା ସମସ୍ତଙ୍କୁ ଅଗୋଚର ରହିଲା। କୋଣାର୍କ ମନ୍ଦିରର ମରାମତି ନାମରେ ଅନେକ କଳାକୃତି ଅପସାରଣ କରାଯାଇ ସେ ସ୍ଥାନରେ ସାଦା ପଥର ଲଗାଇ ଦିଆଯାଇଛି। ଏ ସମ୍ପର୍କରେ ତଥ୍ୟଭିତ୍ତିକ ଖବରକୁ ମଧ୍ୟ ଅଣଦେଖା କରାଗଲା। ଅପରପକ୍ଷରେ ବିଦେଶ ବଜାରରେ ଏହି କଳାକୃତିର ଯଥେଷ୍ଟ ଚାହିଦା ଥିବାରୁ ତାହା ଚୋରା ଚାଲାଣ ହେଉଥିବାର ପ୍ରାମାଣିକ ତଥ୍ୟ ପ୍ରକାଶ ପାଇଥିଲା। ଏହି କ୍ରମରେ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରର ଗରୁଡ଼ ମୂର୍ତ୍ତି ମଧ୍ୟ ଅପହୃତ ହୋଇ ବିଦେଶ ଚାଲାଣ ବେଳେ ଦିଲ୍ଲୀ ବିମାନବନ୍ଦରରେ ଧରାଯାଇଥିଲା। ସେହି ଅପହରଣ ପଛରେ ପୁରୀରେ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ଜଣାପଡ଼ିଥିଲେ ମଧ୍ୟ ଘଟଣାକୁ ଚାପିଦିଆଯାଇଥିଲା।
ରାଜ୍ୟର ବିଭିନ୍ନ ମନ୍ଦିରରୁ ପୁରାତନ ଅଷ୍ଟଧାତୁ, ରୁପା ଓ ପିତଳର ବିଗ୍ରହ ନିୟମିତ ଅପହୃତ ହୋଇ ଚାଲିଛି। ଏହି ପୁରାତନ କଳାକୃତି ରାଜ୍ୟର ଅତୀତ ଗୌରବ ସମ୍ପର୍କରେ ଭବିଷ୍ୟତ ପିଢ଼ିଙ୍କ ଜାଣିବା ପାଇଁ ଏବଂ ପର୍ଯ୍ୟଟନ ଶିଳ୍ପର ପ୍ରସାର ପାଇଁ ରାଜ୍ୟ ସଂଗ୍ରହାଳୟ ସୃଷ୍ଟିହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନର ପ୍ରସିଦ୍ଧି ଲାଭ କରିଥିବା କଳାନୈପୁଣ୍ୟରେ ନିର୍ମିତ ବସ୍ତୁଗୁଡ଼ିକୁ ସ୍ଥାନିତ କରାଯିବା ପଛରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ ଦ୍ବାରା ଆମ ରାଜ୍ୟର ବିଭିନ୍ନ ଅଞ୍ଚଳର ଶିଳ୍ପୀମାନଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ଆର୍ଥିକ ଉନ୍ନତି ମଧ୍ୟ ପରିକଳ୍ପନା କରାଯାଇଥିଲା। ଗଜପତି ଜିଲାର ଶିଙ୍ଗ ଶିଳ୍ପ ହେଉ ବା ଖଣ୍ଡପଡ଼ାର ପାଣିରେ ପହଁରିବା ଭ୍ରମ ସୃଷ୍ଟି କରୁଥିବା ପିତଳରେ ନିର୍ମିତ ମାଛ, ବିଭିନ୍ନ ଅନୁସୂଚିତ ଜନଜାତିର ଜୀବନଶୈଳୀରେ ଆବଶ୍ୟକ ବସ୍ତୁ ହେଉ ବା ଓଡ଼ିଶୀନୃତ୍ୟ ଭଙ୍ଗୀରେ ପଥର ମୂର୍ତ୍ତି,ପୁରାଣ ବର୍ଣ୍ଣିତ ବିଭିନ୍ନ ତନ୍ତ୍ର ଆଧାରିତ ଦେବୀ ପ୍ରତିମା ବା ପାଇକ ବିଦ୍ରୋହରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର, ରାଜତନ୍ତ୍ର ସମୟରେ ବ୍ୟବହୃତ ସୌଖୀନ ସାମଗ୍ରୀ ହେଉ ବା କଟକର ତାରକସି କାରୁକାର୍ଯ୍ୟ, ପୂର୍ବରୁ କୃଷି କାର୍ଯ୍ୟରେ ବ୍ୟବହୃତ ସରଞ୍ଜାମ ବା ପାଟବସ୍ତ୍ର ନତୁବା ସମ୍ବଲପୁରର ବାନ୍ଧକଳା ଏ ସମସ୍ତ ଦ୍ରବ୍ୟକୁ ରାଜ୍ୟ ସଂଗ୍ରହାଳୟରେ ସ୍ଥାନିତ କରାଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ତାଳପତ୍ରର ପୋଥି। ମୁଦ୍ରଣ ଶିଳ୍ପର ଉନ୍ନତି ପୂର୍ବରୁ ଆମର ତାଳପତ୍ର ଓ ଭୁଜପତ୍ରରେ ଲେଖାଯାଉଥିଲା। ଅତୀତରେ ଆମ ରାଜ୍ୟ ମନ୍ତ୍ର ଓ ତନ୍ତ୍ରଶକ୍ତିର ଅନ୍ୟତମ ସାଧନା ପୀଠ ଥିଲା। ସେହି ମନ୍ତ୍ର ଓ ତନ୍ତ୍ର ଆଦିର ସମସ୍ତ ତଥ୍ୟ ତାଳପତ୍ର ପୋଥିରେ ହିଁ ଲେଖାଯାଉଥିଲା। ପୁରାତନ ତାଳପତ୍ର ପୋଥିରେ ଲିଖନ ଶୈଳୀ ସହ ଲିପିରେ ମଧ୍ୟ ସ୍ବତନ୍ତ୍ରତା ରହିଥିଲା। ସେହି ପୋଥିକୁ ସରସ ସୁନ୍ଦର କରିବାକୁ ବିଭିନ୍ନ ଚିତ୍ର ମଧ୍ୟ କରାଯାଉଥିଲା। ଆମର ଇତିହାସ କହେ, କାଞ୍ଚି ରାଜାଙ୍କ ସହ ପ୍ରଥମ ଯୁଦ୍ଧ ବେଳେ ଓଡ଼ିଶାର ସୈନ୍ୟ ପରାସ୍ତହୋଇ ଫେରିଆସୁଥିବା ବେଳେ କାଞ୍ଚିର ସୈନ୍ୟ ମାନେ ଅନୁଧାବନ କରୁଥିଲେ। ସେତେବେଳେ ରାଜଗୁରୁ ତନ୍ତ୍ର ବଳରେ ଗୋଦାବରୀ ନଦୀର ଜଳପତ୍ତନ ବୃଦ୍ଧି କରିବାରୁ କାଞ୍ଚି ସୈନ୍ୟ ପଛଘୁଞ୍ଚା ଦେଲେ ଏବଂ ଗଜପତି ପୁରୁଷୋତ୍ତମ ଦେବ ରାଜଗୁରୁଙ୍କୁ ଗୋଦାବରୀ ବର୍ଦ୍ଧନ ମହାପାତ୍ର ଉପାଧି ଦେଇଥିଲେ। ଅନ୍ୟ ଏକ ତଥ୍ୟ ଅନୁସାରେ ଜୟୀ ରାଜଗୁରୁ ଧୂମ୍ରବିଦ୍ୟାରେ ପାରଙ୍ଗମ ଯୋଗୁ ଆପଦ ସମୟରେ ଧୂଆଁ ସୃଷ୍ଟିକରି ଶତ୍ରୁଙ୍କ କବଳରୁ ଖସି ଆସୁଥିଲେ। ଏହି ପ୍ରାଚ୍ୟ ବିଦ୍ୟା ମଧ୍ୟ ଆମର ନିଜସ୍ବ ଥିଲା । ଜଣେ ଗବେଷକଙ୍କ ମତରେ ଏଭଳି ଏକ ଶକ୍ତିଶାଳୀ ମନ୍ତ୍ରର ପ୍ରୟୋଗରେ ପଥର ସବୁ ତୁଳା ପରି ନରମ ହେଉଥିବାରୁ ତାହା ମନ୍ଦିର ନିର୍ମାଣ ପାଇଁ ବେଶ୍ ଉପଯୋଗୀ ହେଉଥିଲା। ସେଇ ତାଳପତ୍ର ପୋଥି ହଜାର ସଂଖ୍ୟାରେ ସଂଗ୍ରହାଳୟରେ ଗଚ୍ଛିତ ରହିଥିଲା। ସେଇ ଲୁପ୍ତପ୍ରାୟ ବିଦ୍ୟାକୁ ଅନୁଶୀଳନ କରାଯାଇ ତାହା ଉପରେ ଗବେଷଣା କରାଯାଇଥିଲେ ଆମ ରାଜ୍ୟ ନିଶ୍ଚିତ ଏକ ସ୍ବତନ୍ତ୍ର ପରିଚୟ ପାଇଥାନ୍ତା।
ସବୁଠାରୁ ସ୍ପର୍ଶକାତର ତଥ୍ୟ ହେଉଛି, ମନ୍ଦିରଗୁଡ଼ିକରେ ଥିବା ହଜାର ସଂଖ୍ୟାରେ କଳାକୃତି ଓ ବିଗ୍ରହ ଅପହରଣ ପରେ ଅପହର୍ତ୍ତାଙ୍କ ପାଖରେ ଆଇନର ଲମ୍ବା ହାତ ଅପହଞ୍ଚ ହୋଇଛି। ସେପରି ଦୁର୍ଲଭ ପୋଥି ସହ ବିଭିନ୍ନ ପଥର, ଧାତୁର କଳାକୃତି ରଖାଯାଇଥିବା ସଂଗ୍ରହାଳୟରୁ ମଧ୍ୟ ଅନେକ ଅପହୃତ ହୋଇଥିବାର ଆରୋପ ରହିଛି। ଭାଜପା କ୍ଷମତାକୁ ଆସିଲେ ଅପହୃତ ୫୦ ହଜାର କଳାକୃତି ଉଦ୍ଧାର କରିବ ବୋଲି ଦଳୀୟ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଥିଲା । ଅପରପକ୍ଷରେ ଗତ ୨ଦଶନ୍ଧିରୁ ଅଧିକ ଗୋଟିଏ ଦଳ ରାଜ୍ୟ ଶାସନ ଭାର ନେଇ ଥିବାବେଳେ ଅଫିସରରାଜ୍ ବଳବତ୍ତର ହୋଇଥିଲା। ଅନେକ ପଦସ୍ଥ ଅଧିକାରୀଙ୍କ ସହ ରାଜନେତାଙ୍କ କାର୍ଯ୍ୟାଳୟଠାରୁ ବାସଗୃହରେ ଅନେକ ପୁରାତନ କଳାକୃତି ସ୍ଥାନିତ ହୋଇଥିବାରୁ ଭାଜପାର ଅଭିଯୋଗ ବିଶ୍ବସନୀୟ ମନେହୋଇଥିଲା। କିନ୍ତୁ ଦଳ ଶାସନକୁ ଆସିବାର ୨ବର୍ଷ ହୋଇଥିଲେ ମଧ୍ୟ ଗୋଟିଏ କଳାକୃତି ଉଦ୍ଧାର ହୋଇନାହିଁ। ଅପରନ୍ତୁ ରାଜ୍ୟର କୌଣସି କଳାକୃତି ଅପହୃତ ହୋଇନାହିଁ ବୋଲି ବିଭାଗୀୟ ମନ୍ତ୍ରୀଙ୍କ ବିଧାନସଭାରେ ଉତ୍ତର ପରିସ୍ଥିତିକୁ ଭିନ୍ନ ମୋଡ଼ ଦେଇଥିବାରୁ ଅଫିସରରାଜ୍କୁ ପୁନଃ ପ୍ରମାଣିତ କରୁଛି। ତେଣୁ ସେଇ ଅପହୃତ କଳାକୃତିରୁ କେତେ ରାଜ୍ୟରେ ଅଛି ବା କେତେ ବିଦେଶକୁ ଚାଲାଣ ହୋଇଛି ତାହା ନିଶ୍ଚିତ ହେବାର ସମୟ ଆସିଛି।
ରକ୍ଷକମାନେ ଭକ୍ଷକ ହେବା ଆମ ରାଜ୍ୟର ଅଘୋଷିତ ପରମ୍ପରା ହୋଇଥିବାରୁ ଏହାକୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସରଭୁକ୍ତ ନ କରାଯିବା ନିଶ୍ଚିତ ସନ୍ଦେହର ବଳୟ ସୃଷ୍ଟିକରୁଛି। ତେଣୁ ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ସ୍ପର୍ଶକାତର ଓ ସମ୍ବେଦନଶୀଳ ବିଷୟକୁ ସ୍ବତନ୍ତ୍ର ଏବଂ ନିରପେକ୍ଷ ସଂସ୍ଥା ଦ୍ବାରା ତଦନ୍ତ କରାଯିବା କେବଳ ସରକାରଙ୍କର କର୍ତ୍ତବ୍ୟ ନୁହେଁ ବରଂ ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରତିପାଳନ ସର୍ବାଦୌ କର୍ତ୍ତବ୍ୟ। ଏହାକୁ ଅଣଦେଖା କରିବା ଭବିଷ୍ୟତ ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟିକରିବ ଏଥିରେ ସନ୍ଦେହ ନାହିଁ।
ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮