ପ୍ରେମିକାଙ୍କ ଜିଦ୍‌ ପୂରଣ ପାଇଁ ଦୋକାନ ଭାଙ୍ଗି ଚକୋଲେଟ୍‌ ଚୋରି କଲେ ପ୍ରେମିକ, ଆଉ ତା’ ପରେ…

ଜୟପୁର,୬।୩: ରାଜସ୍ଥାନର ଉଦୟପୁର ଜିଲା ଚିତ୍ରକୂଟନଗରର ଏକ ଦୋକାନରୁ ଅଜବ ଧରଣର ଚୋରି ହୋଇଛି। ଉକ୍ତ ଦୋକାନରେ ଏତେ ସବୁ ସାମଗ୍ରୀ ଥିଲେ ସୁଦ୍ଧା ଜଣେ ଯୁବକ କେବଳ ଚକୋଲେଟ ଚୋରି କରିଛନ୍ତି। ତାହା ପୁଣି ୨୦ ହଜାର ଟଙ୍କାର। ସେ ତାଙ୍କ ପ୍ରେମିକାଙ୍କୁ ଖୁସି କରିବା ପାଇଁ ଏହି ଚୋରି କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି।

ଅଭିଷେକ ନାମକ ଏହି ଯୁବକଙ୍କ ପ୍ରେମିକା ରାତିରେ ଚକୋଲେଟ ଖାଇବାକୁ ଜିଦ୍‌ ଧରିଥିଲେ। ଏଭଳି ପରିସ୍ଥିତିରେ ଅଭିଷେକ ସମସ୍ତ ଦୋକାନ ବନ୍ଦ ହୋଇଥିବା ଦେଖିଥିଲେ। ସେ ଦୋକାନ ଖୋଜିବାରେ ଲାଗିଲେ। ଆଗକୁ ଯାଇ ଦେଖିଲେ ଚିତ୍ରକୂଟନଗରର ଦୋକାନ ବାହାରେ ଏକ ରେଫ୍ରିଜିରେଟର ରଖାଯାଇଛି। ସେ ତା’ର ତାଲା ଭାଙ୍ଗି ସେଥିରେ ରଖାଯାଇଥିବା ୭୦୦ ଚକୋଲେଟ ଚୋରି କରିଥିଲେ। ଏଥିସହ ତାଙ୍କୁ ସାହାଯ୍ୟ କରିଥିବା ନାବାଳିକା ପ୍ରେମିକାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ପୋଲିସ ଅଭିଯୁକ୍ତଙ୍କଠାରୁ ଚକୋଲେଟ ମଧ୍ୟ ଜବତ କରିଛି। ଏହି ଚକୋଲେଟ୍‌ର ଦାମ୍‌ ୨୦ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି।

ଏହି ପରିପ୍ରେକ୍ଷୀରେ ଥାନାଧିକାରୀ ମୁକେଶ ସୋନି କହିଛନ୍ତି, ଚିତ୍ରକୂଟନଗରର ବାସିନ୍ଦା ଋଷଭ ଜୈନ ଅଭିଯୋଗ କରିଥିଲେ ଯେ, ସେ ଦୋକାନ ବାହାରେ ଥିବା ଫ୍ରିଜ୍‌ରେ ତାଲା ପକାଇ ଘରକୁ ଯାଇଥିଲେ। କିନ୍ତୁ ସକାଳେ ସେ ଦୋକାନରେ ପହଞ୍ଚିବା ପରେ ଫ୍ରିଜର ତାଲା ଭାଙ୍ଗି ଯାଇଥିବାର ଦେଖିବାକୁ ମିଳିଥିଲା। ଯେତେବେଳେ ସେ ଏହା ଦେଖିଲେ, ସେହି ଫ୍ରିଜରେ ୫ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ପ୍ରାୟ ୭୦୦ ଚକୋଲେଟ ନ ଥିଲା। ତେବେ ଦୋକାନ ବାହାରେ ଲାଗିଥିବା ସିସିଟିଭି ଯାଞ୍ଚରୁ ଚୋରି ସମ୍ପର୍କରେ ଜଣାପଡ଼ିଥିଲା।