କ୍ୱିକ୍ କମର୍ସ ବଢ଼ାଇବାକୁ ୬୦୦ ‘ଡାର୍କ ଷ୍ଟୋର୍’ ଖୋଲିଲା ରିଲାଏନ୍ସ; ବ୍ଲିଙ୍କିଟ୍, ସ୍ୱିଗି, ବିଗବାସ୍କେଟ୍ ପାଇଁ କଠିନ ପ୍ରତିଯୋଗିତା

ନୂଆଦିଲ୍ଲୀ,୨୧।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ୍ ଉଦ୍ୟୋଗ ରିଲାଏନ୍ସ ରିଟେଲ୍ ଦେଶରେ ‘କ୍ୱିକ୍ କମର୍ସ’ (Quick Commerce) ବ୍ୟବସାୟକୁ ବଢ଼ାଇବା ପାଇଁ ବ୍ଲିଙ୍କିଟ୍ (Blinkit), ସ୍ୱିଗି (Swiggy) ଓ ବିଗ୍ ବାସ୍କେଟ୍ (BigBasket) ଭଳି କମ୍ପାନୀକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ଦେଶବ୍ୟାପୀ ୬୦୦ରୁ ଅଧିକ ‘ଡାର୍କ ଷ୍ଟୋର୍’ (Dark Stores) କାର୍ଯ୍ୟକ୍ଷମ କରିଛି।

ରିଲାଏନ୍ସ ରିଟେଲ୍ ତାର ନେଟୱର୍କରେ ୩୦ ମିନିଟ୍‌ରୁ କମ୍ ସମୟ ମଧ୍ୟରେ ଡେଲିଭରି ଉପରେ ଗୁରୁତ୍ୱ ଦେଉଛି ଏବଂ ଏହି ସେବାକୁ ଅଧିକ ବ୍ୟାପକ କରିବାକୁ ଆହୁରି ଅନେକ ‘ଡାର୍କ ଷ୍ଟୋର୍’ ଖୋଲିବାକୁ ଯୋଜନା କରିଛି।

ରିଲାଏନ୍ସର ଡିଜିଟାଲ କମର୍ସ ପ୍ଲାଟଫର୍ମ ଜିଓ ମାର୍ଟ (JioMart) ର ହାଇପର-ଲୋକାଲ୍ ଡେଲିଭରିରେ ଦୈନିକ ଅର୍ଡର ପରିମାଣରେ ବର୍ଷକୁ ୨୦୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି।

ରିଲାଏନ୍ସ ରିଟେଲ୍‌ର ସିଏଫ୍‌ଓ ଦିନେଶ ତାଲୁଜା କହିଛନ୍ତି ଯେ, କମ୍ପାନୀ ପାଖରେ ଥିବା ବ୍ୟାପକ ଷ୍ଟୋର୍ ନେଟୱର୍କ ଯୋଗୁଁ କ୍ୱିକ୍ କମର୍ସ କ୍ଷେତ୍ରରେ ଏହା ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଠାରୁ ବହୁ ଆଗରେ ଅଛି। କାରଣ ଅନ୍ୟ କମ୍ପାନୀମାନେ ମୁଖ୍ୟତଃ କିଛି ପ୍ରମୁଖ ସହରରେ ସୀମିତ ଥିବାବେଳେ ରିଲାଏନ୍ସ ହଜାରେରୁ ଅଧିକ ସହରରେ ଉପସ୍ଥିତ। କମ୍ପାନୀ ଇଲେକ୍ଟ୍ରୋନିକ୍ସ ଏବଂ ଆସେସୋରିଜ୍ ସାମଗ୍ରୀ ପାଇଁ ମଧ୍ୟ ୧୦ଟି ସହରରେ ୩୦ ମିନିଟ୍‌ରେ ଡେଲିଭରି ସେବା ଆରମ୍ଭ କରିଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ରିଲାଏନ୍ସ ରିଟେଲ୍ ଭେଞ୍ଚରର ମୋଟ ରାଜସ୍ୱ ୧୮ ପ୍ରତିଶତ ବୃଦ୍ଧି ହୋଇ ୯୦,୦୧୮ କୋଟି ଟଙ୍କାରେ ପହଞ୍ଚିଛି।

Dharitri – Odisha’s No.1 Odia Daily

Share