ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ୍ରେ ଅଷ୍ଟ୍ରେଲିଆର ଅସୁବିଧା ଥମିବାର ନାଁ ନେଉନାହିଁ। ଜସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କୁମିନ୍ସ ଆଗରୁ ଆହତ ଥିବାବେଳେ ଏବେ ଅଧିନାୟକ ମିଚେଲ ମାର୍ଶ ମଧ୍ୟ ଆହତ ହୋଇଛନ୍ତି। ବୁଧବାର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ରେ ମାର୍ଶଙ୍କ ଅନୁପସ୍ଥିତିରେ ଟ୍ରାଭିସ୍ ହେଡ୍ ଦଳର ନେତୃତ୍ୱ ନେଇଥିଲେ।
ରବିବାର ଏକ ଅଭ୍ୟାସ ଅଧିବେଶନ ସମୟରେ ମିଚେଲ ମାର୍ଶଙ୍କ ଗ୍ରୋଇନ୍ ଅଞ୍ଚଳରେ ଶକ୍ତ ଆଘାତ ଲାଗିଥିଲା। ପରୀକ୍ଷା ପରେ ଜଣାପଡ଼ିଛି ଯେ ତାଙ୍କର ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଛି, ଯେଉଁଥିପାଇଁ ତାଙ୍କୁ ବିଶ୍ରାମ ଓ ଚିକିତ୍ସା ପରାମର୍ଶ ଦିଆଯାଇଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଷ୍ଟିଭ୍ ସ୍ମିଥ୍ ତାଙ୍କର କଭର ଭାବେ ଦଳ ସହ ଯୋଗଦେବେ।
ଷ୍ଟିଭ୍ ସ୍ମିଥ୍ଙ୍କୁ ତାଙ୍କର ସାମ୍ପ୍ରତିକ ଘରୋଇ ଫର୍ମ ପାଇଁ ଦଳକୁ ଫେରାଇ ଅଣାଯାଇଛି। ସେ ବିଗ୍ ବାଶ୍ ଲିଗ୍ (୨୦୨୫-୨୬)ରେ ମାତ୍ର ୬ଟି ମ୍ୟାଚ୍ରେ ୨୯୯ ରନ୍ ସଂଗ୍ରହ କରିଛନ୍ତି।ଏଥିରେ ସେ ମାତ୍ର ୪୧ ବଲ୍ରେ ଏକ ବିସ୍ଫୋରକ ଶତକ ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ।
ସ୍ମିଥ୍ ଶେଷଥର ପାଇଁ ୨୦୨୪ ଫେବୃଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆନ୍ତର୍ଜାତୀୟ ଟି-୨୦ ଖେଳିଥିଲେ। ଅଷ୍ଟ୍ରେଲିଆ ପାଇଁ ୬୭ଟି ଟି-୨୦ ମ୍ୟାଚ୍ ଖେଳିଥିବା ସ୍ମିଥ୍ ୨୦୨୧ ବିଶ୍ୱକପ୍ ବିଜୟୀ ଦଳର ମଧ୍ୟ ସଦସ୍ୟ ଥିଲେ।
ଶୁକ୍ରବାର ଅଷ୍ଟ୍ରେଲିଆ ନିଜର ପରବର୍ତ୍ତୀ ମ୍ୟାଚ୍ ଜିମ୍ବାୱେ ବିପକ୍ଷରେ ଖେଳିବ। ଦଳ ଆଶା ରଖିଛି ଯେ ମାର୍ଶ ଶୀଘ୍ର ସୁସ୍ଥ ହୋଇ ଫେରିବେ, ନଚେତ୍ ସ୍ମିଥ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି।