ବରଗଡ଼, ୯।୭(ପ୍ରେମାନନ୍ଦ ଖମାରୀ)-ଓଡ଼ିଶା ଡ୍ରାଇଭର ମହାସଂଘ ବିଭିନ୍ନ ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ବୁଧବାର ସକାଳୁ ବରଗଡ଼ ହଲଦୀପାଲି ଛକରେ ଡ୍ରାଇଭରମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାଜପଥର ଉଭୟ ପାଶର୍ବରେ ବହୁସଂଖ୍ୟକ ଯାନବାହାନ ଅଟକି ରହିଥିଲା। ତେବେ ପରେ ପୋଲିସ ସେଠାକୁ ପହଞ୍ଚି ଆନ୍ଦୋଳନ କରୁଥିବା ଡ୍ରାଇଭରମାନଙ୍କୁ ଉଠାଇ ନେଇଥିଲା। ଏହାପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା। ଅଟୋ ଡ୍ରାଇଭରମାନଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ ଓ୍ବାର୍କର୍ସ ଓ୍ବେଲ୍ଫେୟାର ବୋର୍ଡରେ ସାମିଲ, ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଓ କାରଖାନା ଗୁଡ଼ିକରେ ୭୦% ରାଜ୍ୟ ଡ୍ରାଇଭରମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦିଆଯିବା ଏବଂ ସେପ୍ଟେମ୍ବର ୧କୁ ଜାତୀୟ ଡ୍ରାଇଭର ଦିବସଭାବେ ଘୋଷଣା କରିବା ପାଇଁ ଡ୍ରାଇଭର ମହାସଂଘ ଦାବି କରିଛି।