ବେଜିଂ,୨୧ା୨: ପଡ଼ୋଶୀ ଦେଶ ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଯାହା ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଏଠାକାର ଏକ କମ୍ପାନୀ ତା’ର କର୍ମଚାରୀଙ୍କ ପାଇଁ ୨ ମିନିଟ୍ର ଏକ ଅଜବ ଟଏଲେଟ୍ ନିୟମ ଲାଗୁ କରିଛି, ଯାହା ସୋସିଆଲ ମିଡିଆରେ ବହୁ ଭାଇରାଲ ହେଉଛି। କମ୍ପାନୀକୁ ଏନେଇ ବହୁତ ସମାଲୋଚନା କରାଯାଇଛି।
ଅଫିସରେ ଯିଏ ଟଏଲେଟ୍ ଯିବେ ତାଙ୍କୁ କେବଳ ଦୁଇ ମିନିଟ୍ ସମୟ ଦିଆଯାଏ ଯାହାକି ଅତ୍ୟନ୍ତ ଅମାନବୀୟ। ଏହା ଉପରେ ସିସିଟିଭି ମାଧ୍ୟମରେ କର୍ମଚାରୀମାନଙ୍କ ଉପରେ ନଜର ରଖିବା ଏବଂ ନିୟମ ଉଲ୍ଲଂଘନ ପାଇଁ ମୋଟା ଅଙ୍କର ଜରିମାନା ଆଦାୟ କରିବା ଆହୁରି ଅନ୍ୟାୟ ବୋଲି ୟୁଜରମାନେ ମନ୍ତବ୍ୟ ଦେଇଛନ୍ତି।
ଗୁଆଙ୍ଗଡୋଙ୍ଗର ଫୋସାନରେ ଅବସ୍ଥିତ ଥ୍ରୀ ବ୍ରଦର୍ସ ମେଶିନ ମ୍ୟାନୁଫ୍ୟାକଚରିଂ କମ୍ପାନୀ ୧୧ ଫେବୃଆରୀରେ ଦୁଇ ମିନିଟର ଟଏଲେଟ୍ ବିରତି ନିୟମ ଲାଗୁ କରିଥିଲା। ଏକ ପ୍ରାଚୀନ ଚିକିତ୍ସା ପାଠ୍ୟକୁ ଉଦ୍ଧୃତ କରି କମ୍ପାନୀ ଯୁକ୍ତି ଦେଇଛି ଯେ, କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହା ବ୍ୟତୀତ, ନୂତନ ନିୟମର ଲକ୍ଷ୍ୟ ହେଉଛି ଦକ୍ଷତା ଏବଂ କର୍ମକ୍ଷେତ୍ର ଶୃଙ୍ଖଳାକୁ ଉନ୍ନତ କରିବା।
ଏହି ନିୟମ କ’ଣ?
କମ୍ପାନୀର ନୂଆ ନିୟମ ଅନୁଯାୟୀ, କର୍ମଚାରୀମାନେ ସକାଳ ୮ଟା ପୂର୍ବରୁ, ସକାଳ ୧୦.୩୦ରୁ ୧୦.୪୦ ମଧ୍ୟରେ, ମଧ୍ୟାହ୍ନ ୧୨ରୁ ୧.୩୦ ମଧ୍ୟରେ, ଅପରାହ୍ନ ୩.୩୦ରୁ ୩.୪୦ ମଧ୍ୟରେ, ଏବଂ ସନ୍ଧ୍ୟା ୫.୩୦ରୁ ୬ଟା ମଧ୍ୟରେ ଟଏଲେଟ୍ ବ୍ୟବହାର କରିପାରିବେ, କିନ୍ତୁ ତାହା ମଧ୍ୟ କେବଳ ୨ ମିନିଟ୍ ପାଇଁ। ଯଦି କାହାକୁ ନିର୍ଦ୍ଧାରିତ ସମୟ ସୀମା ଅତିକ୍ରମ କରିବାକୁ ପଡ଼େ, ତେବେ ଏଥିପାଇଁ ଏଚ୍ଆରଙ୍କଠାରୁ ଅନୁମତି ନେବାକୁ ପଡ଼ିବ।
ଏକ ରିପୋର୍ଟ ଅନୁଯାୟୀ, ନିୟମ ଭଙ୍ଗ ନ କରିବା ପାଇଁ କମ୍ପାନୀ କ୍ୟାମେରା ମାଧ୍ୟମରେ କର୍ମଚାରୀମାନଙ୍କ ଉପରେ ନଜର ରଖିବ ଏବଂ ନିୟମ ଭଙ୍ଗ କରୁଥିବା ଲୋକଙ୍କ ଉପରେ ୧୦୦ ୟୁଆନ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୨୦୦ ଟଙ୍କା) ଜରିମାନା ଲଗାଇବ। ଏହା ଫେବୃଆରୀ ୧୧ରେ ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଥିଲା ଏବଂ କମ୍ପାନୀ କହିଥିଲା ଯେ, ମାର୍ଚ୍ଚ ୧ରୁ ଏନେଇ କଠୋର ପଦକ୍ଷେପ ନିଆଯିବ।
କମ୍ପାନୀର ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ବହୁତ ବିବାଦ ହୋଇଥିଲା। ଯାହା ପରେ କମ୍ପାନୀକୁ ତା’ର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ଲୋକମାନେ କହିଛନ୍ତି, ଏହି ନିଷ୍ପତ୍ତି କେବଳ ଅନୈତିକ ନୁହେଁ ବରଂ କର୍ମଚାରୀଙ୍କ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ।