ରାଜ୍ୟର ପ୍ରଥମ ମହିଳା ଭେଷଜ ବିଶେଷଜ୍ଞଙ୍କ ପରଲୋକ

କଟକ ଅଫିସ,୧୪।୫: ରାଜ୍ୟର ପ୍ରଥମ ମହିଳା ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ଅନ୍ନପୂର୍ଣ୍ଣା ଦେବୀ(୭୭)ଙ୍କର କଟକ କେଶରପୁରସ୍ଥିତ ବାସଭବନରେ ଶନିବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ଖାନ୍‌ନଗରସ୍ଥିତ ସ୍ବର୍ଗଧାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁତ୍ର ଚିନ୍ମୟ ମୁଖାଗ୍ନି ଦେଇଥିଲେ।
ଡା. ଅନ୍ନପୂର୍ଣ୍ଣା ଦେବୀ ୧୯୪୬ ଫେବୃୟାରୀ ୧୮ରେ ଆଠଗଡ଼ ପତଣ୍ଡା ନିବାସୀ ଗୋକୁଳାନନ୍ଦ ଦାଶଙ୍କ କନ୍ୟା ରୂପେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୧୦ ବର୍ଷ ହୋଇଥିବାବେଳେ ମାଆଙ୍କୁ ହରାଇଥିଲେ। ଗଁା ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ ପରେ ଶୈଳବାଳା ମହିଳା ମହାବିଦ୍ୟାଳୟରେ ବିଜ୍ଞାନରେ ଶିକ୍ଷାପ୍ରାପ୍ତ କରିଥିଲେ। ପରେ ସେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ ୧୯୬୯ରେ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିଥିଲେ। ସର୍ବଭାରତୀୟ ସ୍ତରରେ ସେ ବେଶ୍‌ ସୁନାମ ଅର୍ଜନ କରିଥିଲେ। ଜଣେ ଦକ୍ଷ ଚିକିତ୍ସକ ଭାବେ ସେ ୭ଟି ବିଭାଗରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ତାଙ୍କ ମୃତ୍ୟୁରେ ସ୍ବାମୀ ପ୍ରଫେସର ଡା. କୃପାସିନ୍ଧୁ ପଣ୍ଡା ଗଭୀର ଭାବେ ମର୍ମାହତ ହୋଇଛନ୍ତି। ବିଧାୟକ ଇଂ. ମହମ୍ମଦ ମୋକିମ, ସିଏମ୍‌ସି ମେୟର ସୁବାସ ସିଂ, ଡା. ନିରଞ୍ଜନ ତ୍ରିପାଠୀ, ଡା. ଜୟନ୍ତ ପଣ୍ଡା, ଡା. ଦୀପକ ରଞ୍ଜନ ଦାସ, ବିଷ୍ଣୁ ମୋହନ ଦାସସାମନ୍ତ, ନମିତା ପଣ୍ଡା, ସୁଦୀପ୍ତା ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ନପୂର୍ଣ୍ଣାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।