ଲୋକେ ପିଉଥିବା ମଦ ଉପରେ ଟିକସ ନେଇପାରିବେ ରାଜ୍ୟ ସରକାର

ନୂଆଦିଲ୍ଲୀ,୪।୩: କେବଳ ଲୋକେ ପିଉଥିବା ମଦ ଉପରେ ରାଜ୍ୟ ସରକାର ଅବକାରୀ ଶୁଳ୍କ ଲଗାଇପାରିବେ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଏଥିସହ ଓଡ଼ିଶା ହାଇକୋର୍ଟଙ୍କ ଏହି ସମ୍ପର୍କିତ ଏକ ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଏକାଧିକ ପିଟିଶନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି।

ଜଷ୍ଟିସ ଏଲ୍‌. ନାଗେଶ୍ୱର ରାଓ ଏବଂ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ହାଇକୋର୍ଟ ଉତ୍କଳ ଡିଷ୍ଟିଲେରିଜ୍‌କୁ ନିମ୍ନମାନର ସ୍ପିରିଟ୍‌ ପ୍ରସ୍ତୁତି ମାମଲାରେ ଅବକାରୀ ଶୁଳ୍କ ପୈଠ ନ କରିବା ନେଇ ଆଶ୍ୱସ୍ତି ଦେଇଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ସରକାରଙ୍କ ପିଟିଶନକୁ ଖାରଜ କରିବା ଅବସରରେ ଖଣ୍ଡପୀଠ ଏନେଇ ସିନ୍ଥେଟିକ୍ସ ଆଣ୍ଡ କେମିକାଲ୍ସ ଲିଃ ମାମଲାରେ ସାମ୍ବିଧାନିକ ପୀଠଙ୍କ ରାୟ, ମୋଦି ଡିଷ୍ଟିଲେରି ମାମଲାରେ ତିନିଜଣିଆ ଖଣ୍ଡପୀଠଙ୍କ ରାୟ ତଥା ତତ୍କାଳୀନ ବିହାର ଓଡ଼ିଶା ଅବକାରୀ ଆଇନ, ୧୯୧୫ର ବୈଧାନିକ ବ୍ୟବସ୍ଥାର ଅବତାରଣା କରିଥିଲେ। କେବଳ ଲୋକେ ପିଉଥିବା ମଦ ଉପରେ ରାଜ୍ୟ ସରକାରଙ୍କର ଅବକାରୀ ଶୁଳ୍କ ଆଦାୟ କରିବାର କ୍ଷମତା ରହିଛି ବୋଲି ପୂର୍ବରୁ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ରାୟ ଦେଇଥିଲେ।