ଆଶ୍ରମ ବୁଲି ଷ୍ଟବେରୀ ଚାଷ ଦେଖିଲେ ଷ୍ଟାଣ୍ଡିଂ କମିଟି

ପଟ୍ଟାଙ୍ଗି,୬ା୨(ଶରତ କୁମାର ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ସର୍କିଟ ହାଉସ୍‌ରେ ପହଞ୍ଚି ପରେ ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତର ଦେଓମାଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ବୁଧବାର ରାତ୍ରିଯାପନ କରିଥିଲେ। କମିଟିର ଏହି ଗସ୍ତକୁ ପ୍ରଶାସନ ପକ୍ଷରୁ ଗୋପନୀୟ ରଖାଯାଇଥିଲା।

ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଦାରି, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝି, କୋଟପାଡ଼ ବିଧାୟକ ରୂପୁ ଭତ୍ରା, କୋରାପୁଟ ବିଧାୟକ ରଘୁରାମ୍‌ ମାଛ ଓ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ପ୍ରମୁଖ ଦେଓମାଳି ବନ ବିଭାଗର କଟେଜ୍‌ରେ ରାତ୍ରି ଯାପନ କରିଥିଲେ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

କମିଟି ଗୁରୁବାର ଜଙ୍ଗଲ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚାରାରୋପଣ କାର୍ଯ୍ୟକ୍ରମ ପରେ ଫେରିବା ବାଟରେ ଥୁରିଆ ବିଦ୍ୟାଳୟରେ ପହଞ୍ଚି ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ତଦାରଖ କରିଥିଲେ। କୋରାପୁଟ ଅଭିମୁଖେ ଯିବା ବେଳେ ରାସ୍ତା କଡରେ ଥିବା ବାରାବନ୍ଦ ଗ୍ରାମରେ ଷ୍ଟବେରୀ ଚାଷ ଦେଖିବା ସହ କେତେକ ଚାଷୀଙ୍କ ସହ ଆଲୋଚନା କରିଥିଲେ।