ଗ୍ୟାରେଣ୍ଟି ମାଗିଲେ ଷ୍ଟାଲିନ୍‌, ତାମିଲ ପାଠ ପଢ଼ାଇଲେ ମୋଦି

ରାମେଶ୍ୱରମ୍‌,୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କାରୁ ରବିବାର ତାମିଲନାଡୁକୁ ଫେରି ରାମେଶ୍ୱରମ୍‌ରେ ପମ୍ବନ ବ୍ରିଜ୍‌ର ଲୋକାର୍ପଣ ସହ ଅନ୍ୟ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରୁଥିବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥିଲା। ଷ୍ଟାଲିନ୍‌ ହିଲଟାଉନ୍‌ ଉଧଗମଣ୍ଡଲମ୍‌ରେ କେତେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉଭୟେ ନିଜ ନିଜ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଥିଲା। ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ତାମିଲନାଡୁରେ ଏହି ବିଷୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ଅଧୀନ ୩ ଭାଷା ସୂତ୍ର ବଳରେ ତାମିଲନାଡୁ ଉପରେ ହିନ୍ଦୀକୁ ଜବରଦସ୍ତି ଲଦିଦେବା, କେନ୍ଦ୍ର ପ୍ରସ୍ତାବିତ ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ (ଡିଲିମିଟେଶନ୍‌), ସଂଘୀୟ ସହଯୋଗିତା (କୋ-ଅପରେଟିଭ୍‌ ଫେଡେରାଲିଜମ୍‌), କେନ୍ଦ୍ରରୁ ରାଜ୍ୟକୁ ପାଣ୍ଠି ଆବଣ୍ଟନରେ ବୈମାତୃକ ମନୋଭାବ ଆଦିକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ବିଶେଷକରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସୁପ୍ରିମୋ ଏମ୍‌.କେ. ଷ୍ଟାଲିନ୍‌ ଏହି ପ୍ରସଙ୍ଗଗୁଡ଼ିକୁ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏଭଳି ସମୟରେ ଷ୍ଟାଲିନ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନ ଯିବା ଯେତିକି ଆଶ୍ଚର୍ଯ୍ୟକର ନୁହେଁ, ତା’ଠୁ ବେଶି ଚର୍ଚ୍ଚାର ବିଷୟ ହୋଇଛି ସେ ମୋଦିଙ୍କୁ ଗ୍ୟାରେଣ୍ଟି ମାଗିବା ପ୍ରସଙ୍ଗ। ଉଧଗମଣ୍ଡଲମ୍‌(ଉଟି)ର ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଷ୍ଟାଲିନ୍‌ କହିଛନ୍ତି, ପ୍ରସ୍ତାବିତ ଡିଲିମିଟେଶନ୍‌ ପ୍ରକ୍ରିୟାକୁ ନେଇ ତାମିଲନାଡୁବାସୀଙ୍କ ମନରେ ରହିଥିବା ଭୟକୁ ପ୍ରଧାନମନ୍ତ୍ରୀ ପ୍ରଥମେ ଦୂର କରିବା ଉଚିତ। ତାମିଳନାଡୁର ଅଧିକାରଗୁଡ଼ିକୁ ସୁରକ୍ଷା ଦେବା ପାଇଁ ପାର୍ଲାମେଣ୍ଟରେ ଏକ ସଂକଳ୍ପନାମା ପାରିତ କରାଯିବ ବୋଲି ମୋଦି ସୁନିଶ୍ଚିତ କରିବା ଜରୁରୀ। ଏଥିପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ ମଧ୍ୟ କରନ୍ତୁ। ଏହା ହିଁ ଉପଯୁକ୍ତ ଡିଲିମିଟେଶନ୍‌ ସୁନିଶ୍ଚିତ କରିବାର ଏକମାତ୍ର ପନ୍ଥା। ପ୍ରଧାନମନ୍ତ୍ରୀ ଏପରି କରିବେ ବୋଲି ଆଶାବାଦୀ ଥିବା ଷ୍ଟାଲିନ୍‌ କହିଛନ୍ତି। ଷ୍ଟାଲିନ୍‌ ଆହୁରି କହିଛନ୍ତି, ତାମିଲନାଡୁ ଓ ଅନ୍ୟ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ସେମାନଙ୍କୁ ଡିଲିମିଟେଶନ୍‌ ପ୍ରକ୍ରିୟା କାର୍ଯ୍ୟକାରୀ ବେଳେ ଦଣ୍ଡିତ କରାଯିବା ଅନୁଚିତ। ସଂସଦୀୟ ଆସନର ଭାଗ ଉଣା କରା ନ ଯାଉ ବୋଲି ଷ୍ଟାଲିନ୍‌ କହିବା ସହ ଏକ୍ସ’ରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ରାମେଶ୍ୱରମ୍‌ରେ ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ରେଳସେତୁ ଉଦ୍‌ଘାଟନ ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରି କହିଛନ୍ତି, କେନ୍ଦ୍ର ସରକାର ବର୍ଦ୍ଧିତ ପାଣ୍ଠି ଦେବା ସତ୍ତ୍ୱେ କେତେଜଣ ବ୍ୟକ୍ତି ପାଣ୍ଠି ପାଇଁ ଚିତ୍କାର କରୁଛନ୍ତି। ଭିତ୍ତିଭୂମି ବିକାଶରେ ତାମିଲନାଡୁକୁ ଗୁରୁତ୍ୱ ଦିଆଯାଉଛି। ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ତାମିଲନାଡୁକୁ ୨୦୧୪ ପୂର୍ବର ଉପା ସରକାର ତୁଳନାରେ ୩ ଗୁଣା ଅଧିକ ପାଣ୍ଠି ପ୍ରଦାନ କରିଛନ୍ତି। ସେହିପରି ରେଲଓ୍ବେ କ୍ଷେତ୍ରରେ ୭ ଗୁଣା ଅଧିକ ପାଣ୍ଠି ଦିଆଯାଇଛି। ଏହାସତ୍ତ୍ୱେ ବିନା କୌଣସି ଯଥାର୍ଥତାରେ କେତେଜଣ ବ୍ୟକ୍ତି ଲଗାତର ଅଭିଯୋଗ କରୁଛନ୍ତି, ଯାହାକି ଦୁର୍ଭାଗ୍ୟଜନକ। ମୋଦି ଆହୁରି କହିଛନ୍ତି, ରାଜ୍ୟରେ ତାମିଲ ଭାଷାର ଅଧିକ ବ୍ୟବହାର କରାଯିବା ଉଚିତ। ବିଶେଷକରି ମେଡିକାଲ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେବା କଥା। କିନ୍ତୁ ତାମିଲନାଡୁର ନେତାମାନେ ପାଣ୍ଠି ମାଗିବାବେଳେ ପତ୍ରରେ ଇଂଲିଶ୍‌ ଭାଷାରେ ଦସ୍ତଖତ ଦେଉଛନ୍ତି। ନିଜ ଦସ୍ତଖତ ଅନ୍ତତଃ ତାମିଲରେ ଦିଅନ୍ତୁ। ଇଂଲିଶ୍‌ରେ ଲେଖିବାବେଳେ ସେମାନଙ୍କ ତାମିଲ ଅସ୍ମିତା କେଉଁଠି ହଜିଯାଉଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ସେହିପରି ଷ୍ଟାଲିନ୍‌ ଉକ୍ତ କାର୍ଯ୍ୟକ୍ରମକୁ ବର୍ଜନ କରିବା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ ଦର୍ଶାଇ ରାଜ୍ୟ ଭାଜପା ସଭାପତି କେ. ଆନ୍ନାମଲାଇ ତାଙ୍କଠାରୁ କ୍ଷମା ଦାବି କରିଛନ୍ତି।