ରାୟପୁର,୨୫।୬: ପ୍ରଥମେ ମାରିଦେଲେ, ପରେ ମୃତଦେହରେ ସିମେଣ୍ଟ ଗୋଳାଇ ସୁଟକେସରେ ଭର୍ତ୍ତି କରିଦେଲେ । ପରେ ମୃତଦେହ ଭର୍ତ୍ତି ସୁଟକେସକୁ ଲୁହା ଟ୍ରଙ୍କ ଭିତରେ ରଖିଦେଲେ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଛତିଶଗ ରାୟପୁରରେ ।
ସବୁଠୁ ବଡ଼ କଥା ହେଉଛି ଯାହଙ୍କୁ ହତ୍ୟା କରାଯାଇଛି ସେ ଜଣେ ଦିବ୍ୟାଙ୍ଗ।ଜମିଜମା ବିବାଦରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।
ରାୟପୁରର ଡିଡି ନଗରରେ ଘଟିଥିବା ଏହି ଘଟଣାର ପୋଲିସ ଖୋଳତାଡ଼ ଆରମ୍ଭ କରୁଛି । ଆଖପାଖରେ ଥିବା ସିସିଟିଭି ଆଧାରରେ ପୋଲିସ ଛାନଭିନ୍ ଚଳାଇଛି।
ରାୟପୁର ଏସଏସପି ଲାଲ ଉମେଦ ସିଂହ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ, ଏହି ହତ୍ୟାକାଣ୍ଡ ପଛରେ ଏକ ଦମ୍ପତିଙ୍କ ହାତ ରହିଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଉଭୟ ସ୍ବାମୀ ସ୍ତ୍ରୀ ଏକ କାର୍ ମଧ୍ୟରୁ ବାହାରିଛନ୍ତି । ପରେ ପରେ ଗାଡ଼ି ଡିକିରୁ ସେହି ଟ୍ରଙ୍କ ବାହାର କରିଛନ୍ତି । ସେମାନେ ଓକିଲ ଅଙ୍କିତ ଏବଂ ତାଙ୍କ ପତ୍ନୀ । ଏହି ଗାଡ଼ି ପଛେ ପଛେ ଏକ ଦୁଇ ଚକିଆ ଯାନ ଏସ୍କଟ କରି ଆସୁଥିଲା। ଅନ୍ୟପଟେ କାରର ଯେଉଁ ନମ୍ବରପ୍ଲେଟ ଲାଗିଥିଲା ତାହା ଡୁପ୍ଲିକେଟ ଥିଲା । ପୋଲିସର କହିବା ଅନୁସାରେ, ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ସେ, ପୂର୍ବରୁ ଏକ ପ୍ଲଟ ୫୦ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ହେଲେ ତାଙ୍କୁ ଧାର୍ଯ୍ୟ ମୂଲ୍ୟଠାରୁ ୨୦ ଲକ୍ଷ କମ ମିଳିଥିଲା ।
ବ୍ୟକ୍ତି ଜଣଙ୍କ ଯେତେବେଳେ ଅବଶିଷ୍ଟ ୨୦ ଲକ୍ଷ ଟଙ୍କା ମାଗିଥିଲେ ସେ ସମୟରେ ଅଙ୍କିତଙ୍କ ସହ ତାଙ୍କର ବଚସା ହୋଇଥିଲା । ତେବେ ଟଙ୍କା ନେଣ ଦେଣକୁ କେନ୍ଦ୍ର କରି ଅଙ୍କିତ ଓ ତାଙ୍କ ସ୍ତ୍ରୀ ମିଶି ସମ୍ପୃକ୍ତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।