ନୂଆଦିଲ୍ଲୀ,୨୭ା୨: ଜାତୀୟସ୍ତର ମହିଳା ପ୍ରତିଯୋଗିତାଗୁଡ଼ିକରେ ଯେପରି କେବଳ ବାୟୋଲଜିକାଲ ମହିଳାମାନେ ଅଂଶଗ୍ରହଣ କରିପାରିବେ ତାହାକୁ ନଜରରେ ରଖି ଆଥଲେଟିକ୍ ଫେଡେରେଶନ ଅଫ୍ ଇଣ୍ଡିଆ (ଏଏଫ୍ଆଇ) ପକ୍ଷରୁ ଚଳିତବର୍ଷ ଏସ୍ଆର୍ଓ୍ବାଇ (ସେକ୍ସ ଡିଟରମିନିଙ୍ଗ ରିଜିଅନ ଓ୍ବାଇ) ଜେନେ ଟେଷ୍ଟର ପ୍ରଚଳନ କରାଯିବ।
ନିକଟରେ ଏଏଫ୍ଆଇ କାର୍ଯ୍ୟନିର୍ବାହୀ ପରିଷଦର ଏକ ବୈଠକ ବସିଥିଲା। ଗବେଷଣା ଓ ବିକାଶ ପାଇଁ ଆଗାମୀ ଆଥଲେଟମାନଙ୍କର ଡିଏନ୍ଏ ଟେଷ୍ଟ କରାଯିବ ବୋଲି ଏକ ପ୍ରସ୍ତାବ ଏଥିରେ ଗୃହୀତ ହୋଇଥିଲା। ସଂଗ୍ରହ କରାଯାଇଥିବା ରେକର୍ଡକୁ ଗୋପନ ରଖାଯିବ।
ଏଏଫ୍ଆଇ ଦ୍ୱାରା ଜାରି କରାଯାଇଥିବା ଏକ ସର୍କୁଲାରରେ ଦର୍ଶାଯାଇଛି ଯେ, ଏଣିକି ଜାତୀୟସ୍ତର ପ୍ରତିଯୋଗିତାଗୁଡ଼ିକରେ ଏସ୍ଆରଓ୍ବାଇ ଜେନେ ଟେଷ୍ଟ ବାଧ୍ୟତାମୂଳକ ହେବ।
କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଫେବୃଆରୀ ୧୪ ଓ ୧୫ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ପୋର୍ଟବ୍ଲେୟାରରେ ଅନୁଷ୍ଠିତ ହୋଇଥିଲା। ଏସ୍ଆରଓ୍ବାଇ ଟେଷ୍ଟ ଚଳିତବର୍ଷ ଜୁଲାଇ ୨୪ରୁ ୨୮ ହେବାକୁଥିବା ଜାତୀୟ ଆନ୍ତଃ ରାଜ୍ୟ ସିନିୟର ଚାମ୍ପିୟନଶିପ୍ରେ ପ୍ରଥମ ଥର ଲାଗି ଲାଗୁ କରାଯାଇପାରେ ବୋଲି ଶୁଣାଯାଉଛି।