ତଦନ୍ତ କରିବ ୩ଜଣିଆ କମିଟି

କଲମ୍ବୋ,୯।୧୧(ପି.ଟି.): ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ବେଳେ ଶ୍ରୀଲଙ୍କା ବ୍ୟାଟର ଦାନୁଷ୍କା ଗୁଣତିଲକାଙ୍କ ବିରୋଧରେ ହୋଇଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ ପାଇଁ ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ଏକ ୩ଜଣିଆ କମିଟି ଗଠନ କରିଛି। ଏଥିରେ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ ଶିଶିର ରତନାୟକେ, ଆଟର୍ନି ନିରୋସାନ ପେରେରା ଓ ଆଟର୍ନି ଆସେଲା ରେକାଓ୍ବା ସଦସ୍ୟ ରହିଛନ୍ତି। ଏହି କମିଟି ଶ୍ରୀଲଙ୍କା କ୍ରିକେଟର କାର୍ଯ୍ୟନିର୍ବାହୀ କମିଟି ନିକଟରେ ଏହାର ରିପୋର୍ଟ ଉପସ୍ଥାପନ କରିବ। ଦୋଷୀ ସାବ୍ୟସ୍ତ ହେଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା ଯୋଗ୍ୟ ରବିବାର ଅଷ୍ଟ୍ରେଲିଆରୁ ଶ୍ରୀଲଙ୍କା କ୍ରିକେଟ ଦଳର ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ୩୧ ବର୍ଷୀୟ ବାମହାତି ଖେଳାଳି ସେଠାକାର ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ସିଡ୍‌ନୀର ଏକ କୋର୍ଟ ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ। ଏସ୍‌ଏଲ୍‌ସି ତୁରନ୍ତ ଖେଳର ସମସ୍ତ ଫର୍ମାଟରୁ ତାଙ୍କୁ ସସ୍‌ପେଣ୍ଡ କରିଥିଲା।