ନୂଆଦିଲ୍ଲୀ,୨୬।୧: ଭାରତୀୟ ଯୁବ ଓପନର ଅଭିଷେକ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ଏବେ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ଗୁଆହାଟୀଠାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ରେ ଅଭିଷେକଙ୍କ ବ୍ୟାଟିଂ ଏତେ ଭୟଙ୍କର ଥିଲା ଯେ, କିୱି ଖେଳାଳିମାନେ ପଡ଼ିଆ ମଝିରେ ତାଙ୍କ ବ୍ୟାଟ୍କୁ ପରୀକ୍ଷା କରୁଥିବା ଦେଖିବାକୁ ମିଳିଥିଲା।
ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର, ଡେଭନ କନୱେ ଏବଂ ଜ୍ୟାକବ ଡଫି ହସି ହସି ଅଭିଷେକଙ୍କ ବ୍ୟାଟ୍କୁ ଦେଖୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଦୃଶ୍ୟ ୨୦୦୩ ବିଶ୍ୱକପ୍ ଫାଇନାଲ୍ରେ ରିକି ପଣ୍ଟିଂଙ୍କ ‘ସ୍ପ୍ରିଂ ବ୍ୟାଟ୍’ ଗୁଜବକୁ ମନେ ପକାଇ ଦେଇଛି। ପଣ୍ଟିଂଙ୍କ ଭଳି ଅଭିଷେକ ମଧ୍ୟ ଏତେ ସହଜରେ ଛକା ମାରୁଥିଲେ ଯେ ବିରୋଧୀ ଦଳ ପାଇଁ ଏହା ଅବିଶ୍ୱସନୀୟ ମନେ ହେଉଥିଲା।
୧୫୪ ରନର ଲକ୍ଷ୍ୟକୁ ପିଛା କରି ଭାରତ ମାତ୍ର ୧୦ ଓଭରରେ ବିଜୟ ହାସଲ କରିଛି। ଏଥିରେ ଅଭିଷେକ ଶର୍ମାଙ୍କ ଅବଦାନ ଥିଲା ଅତୁଳନୀୟ ଅବଦାନ ରହିଥିଲା। ସେ ମାତ୍ର ୨୦ ବଲ୍ରେ ଅପରାଜିତ ୬୮ ରନ୍ ସ୍କୋର କରିଥିଲେ। ମାତ୍ର ୧୪ ବଲ୍ରେ ୫୦ ରନ୍ ପୂରଣ କରି ସେ ଭାରତ ପାଇଁ ଟି-୨୦ ଇତିହାସରେ ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଯୁବରାଜ ସିଂଙ୍କ ୧୨ ବଲ୍ ରେକର୍ଡ ଏବେ ବି ଶୀର୍ଷରେ ଅଛି। ଅନ୍ୟପଟେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ୨୬ ବଲ୍ରୁ ୫୭ ରନ୍ ସଂଗ୍ରହ କରିଥିଲେ।
ବର୍ତ୍ତମାନ ବିଶ୍ୱର ନମ୍ବର-୧ ଟି-୨୦ ବ୍ୟାଟର ଭାବେ ଅଭିଷେକ ନିଜର ଦାବି ମଜବୁତ କରିଛନ୍ତି। ୩୬ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୯୫.୨୨ ରହିଛି, ଯାହା ଅତ୍ୟନ୍ତ ପ୍ରଭାବଶାଳୀ। ନ୍ୟୁଜିଲ୍ୟାଣ୍ଡ ବ୍ୟାଟର ମାର୍କ ଚାପମ୍ୟାନ୍ ମଧ୍ୟ ଅଭିଷେକଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ତାଙ୍କର ଛକା ମାରିବା କ୍ଷମତା ଅଦ୍ଭୁତ ଏବଂ ତାଙ୍କୁ ଅଟକାଇବା କଷ୍ଟକର।
ଏହି ବିଜୟ ସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୩-୦ରେ ଅଗ୍ରଣୀ ହାସଲ କରିଛି। ଆସନ୍ତା ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଅଭିଷେକଙ୍କ ଏହି ଫର୍ମ ଟିମ୍ ଇଣ୍ଡିଆ ପାଇଁ ଶୁଭ ସଙ୍କେତ।