ହାଇଓ୍ବା ଧକ୍କାରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ, ମୃତଦେହ ରଖି ରାସ୍ତା ଅବରୋଧ କଲେ…

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ଓଡ଼ିଆ ସାହି ବାସିନ୍ଦା ତଥା ଗଜପତି ଜିଲା ମୋହନା ବ୍ଲକ ପିଣ୍ଡିକି ଗ୍ରାମ ହାଇସ୍କୁଲର କ୍ରୀଡା ଶିକ୍ଷକ ରାମକୃଷ୍ଣ ପାଣିଗ୍ରାହୀ ଓରଫ ବବୁଲ(୩୨) ବୁଧବାର ସାରେ ଏକ ହାଇୱା ଟ୍ରକ ଧକ୍କାରେ ମୃତ୍ୟୁବରଣ କରିଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ମୃତଦେହ ବୁଧବାର ଅପରାହ୍ନ ପ୍ରାୟ ୩ ଟାରେ ଗ୍ରାମରେ ପହଞ୍ଚିଥିଲା। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଗ୍ରାମର ବହୁ ସଂଖ୍ୟକ ମହିଳା ଓ ପୁରୁଷ ମୃତଦେହ ରଖି ଚିକିଟି – ଦିଗପହଣ୍ଡି ମୁଖ୍ୟରାସ୍ତାର ପଦ୍ମନାଭପୁର ଶ୍ରୀ ଶନି ମନ୍ଦିର ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏଥିଯୋଗୁ ରାସ୍ତାର ଉଭୟ ପଟରେ ଗାଡ଼ି ମଟର ଅଟକି ରହିଥିଲା। ଖବରପାଇ ଦିଗପହଣ୍ଡି ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ, ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ବହୁ ସଂଖ୍ୟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବାପରେ ଅପରାହ୍ନ ପ୍ରାୟ ସାଢ଼େ ୪ ଟାରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଗଞ୍ଜାମ – ଗଜପତି ସୀମାନ୍ତ ପାଟପୁର ଥାନା ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ସାରେ ଏକ ହାଇୱା ଟ୍ରକ ଧକ୍କାରେ ରାମକୃଷ୍ଣଙ୍କ ମୃତ୍ୟୁ ଘଟିଥିଲା। ପାଟପୁର ପୋଲିସ ମୃତଦେହ ଜବତ କରି ଥାନା ମାମଲା ନଂ. ୪୪୧/୨୫ ମକଦ୍ଦମା ରୁଜୁ କରିଥିଲେ। ଦୁର୍ଘଟଣା ଘଟାଇ ଦ୍ରୁତ ଗତିରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ହାଇୱା ଟ୍ରକକୁ ପୋଲିସ ଗୋଡ଼ାଇ ମୋହନା ଅଞ୍ଚଳରୁ ଜବତ କରି ଥାନାକୁ ନେଇଥିଲା। ଚାଳକଙ୍କୁ ଥାନାରେ ଅଟକ ରଖାଯାଇଥିବା ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି।

Share
Tags: ganjamodisha