ଖେଳିବା ତ ଦୂରର କଥା, ଶେଯରୁ ଉଠି ପାରୁନାହାନ୍ତି ବୁମ୍‌ରା; ଆସିଲା ଚିନ୍ତାଜନକ ଖବର…

ନୂଆଦିଲ୍ଲୀ,୧୫।୧: ଟିମ୍‌ ଇଣ୍ଡିଆକୁ ଲାଗିପାରେ ବଡ଼ ଝଟ୍‌କା। ତାରକା ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କ ଖେଳିବାକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି। କାରଣ ଖେଳିବା ତ ଦୂରର କଥା ଏବେ ଶେଯରୁ ଉଠିପାରୁନାହାନ୍ତି ସେ। କାରଣ ତାଙ୍କୁ ଡାକ୍ତରମାନେ ବେଡ୍‌ ରେଷ୍ଟ ନେବାକୁ କହିଛନ୍ତି। ସିଡନୀ ଟେଷ୍ଟ ସମୟରେ ବୁମ୍‌ରା ଆହତ ହୋଇଥିଲେ। ତାଙ୍କ ପିଠିର ତଳ ଭାଗରେ ଆଘାତ ଲାଗିଥିଲା। ହେଲେ ଏବେ ସେ ଦୀର୍ଘ ଦିନ ଧରି ମଇଦାନରୁ ବାହାରେ ରହିବାକୁ ବାଧ୍ୟ ହେବେ ବୋଲି ଖବର ଆସିଛି।

ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ବୁମ୍‌ରାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। ତାଙ୍କୁ ଆସନ୍ତା ସପ୍ତାହରେ ବେଙ୍ଗାଲୁରୁର ସେଣ୍ଟର ଅଫ୍‌ ଏକ୍ସିଲେନ୍ସକୁ ପଠାଯାଇପାରେ। ହେଲେ କେବେ ତାହା ସ୍ଥିର କରାଯାଇନାହିଁ। ଡାକ୍ତରମାନେ ବୁମ୍‌ରାଙ୍କୁ ସୁସ୍ଥ ହେବା ଲାଗି ଘରେ ବିଶ୍ରାମ ନେବାକୁ କହିଛନ୍ତି। ଯେତେବେଳେ ତାଙ୍କ ପିଠିର ତଳ ଭାଗର ଫୁଲା କମିଯିବ, ସେତେବେଳେ ତାଙ୍କୁ କିଭଳି ଚିକିତ୍ସା ଦିଆଯିବ ସେନେଇ ନିଷ୍ପତ୍ତି ନିଆଯିବ।

ବୁମ୍‌ରାଙ୍କ ଲାଗି ଚାମ୍ପିଅନ୍ସ ଟ୍ରଫିରେ ଖେଳିବା ଏବେ ଅସମ୍ଭବ ବୋଲି ବିବେଚନା କରାଯାଉଛି। ତାଙ୍କୁ ଦଳରେ ସାମିଲ କରିବା ଲାଗି ବିସିସିଆଇ ମଧ୍ୟ ଚାପ ପକାଇବାକୁ ଚାହୁଁନାହିଁ। ପ୍ରଥମେ ତାଙ୍କ ଆଘାତ ବିଷୟରେ ସବିଶେଷ ଚିକିତ୍ସା ପ୍ରଣାଳୀ ଜଣାପଡ଼ିବା ପରେ ଚିକିତ୍ସାର ଉପାୟ ଜଣାପଡ଼ିବ। ଯଦି ତାଙ୍କୁ ପୁଣିଥରେ ଅସ୍ତ୍ରୋପଚାରର ଆବଶ୍ୟକତା ପଡେ, ତେବେ ତାଙ୍କ ପ୍ରତ୍ୟାବର୍ତ୍ତନ ଲାଗି ଅଧିକ ସମୟ ଲାଗିପାରେ। ଆଗକୁ ଆଇପିଏଲ୍‌ ଏବଂ ତା ପରେ ଭାରତର ଇଂଲଣ୍ଡ ଗସ୍ତ ଅଛି। ଏବେ କିନ୍ତୁ ତାଙ୍କର ଚାମ୍ପିଅନ୍ସ ଟ୍ରଫିରେ ଖେଳିବା କଷ୍ଟକର ମନେ ହେଉଛି।