ଦୁବାଇ,୨୩।୨: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟସ ହୋଇଛି। ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟସ ପରେ ଉଭୟ ଦଳର ଅଧିନାୟକ ସେମାନଙ୍କର ପ୍ଲେଇଂ ଇଲେଭେନ ଘୋଷଣା କରିଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ତାଙ୍କ ଦଳରେ ଗୋଟିଏ ପରିବର୍ତ୍ତନ ଘୋଷଣା କରିଛନ୍ତି। ଫଖର ଜମାନ ଆହତ ଥିବା ଯୋଗୁ ବାଦ ପଡ଼ିବା ପରେ ଇମାମ ଉଲ ହକଙ୍କୁ ପାକିସ୍ତାନ ଦଳରେ ନିଆଯାଇଛି।
ଏହି ମୁକାବିଲା ଲାଗି ରୋହିତ ନିଜର ବିଜୟୀ ଟିମ୍ ସହ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ପୂର୍ବରୁ କୁଲଦୀପ ଯାଦବଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଥିଲା।
ଏହା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ଉଭୟଙ୍କ ଦ୍ୱିତୀୟ ମ୍ୟାଚ। ପାକିସ୍ତାନ ନ୍ୟୁଜିଲାଣ୍ଡ ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍ରେ ୬୦ ରନ୍ରେ ପରାସ୍ତ ହୋଇଛି। ଅପରପକ୍ଷେ ଭାରତ ତା’ର ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ୬ ଉଇକେଟ୍ରେ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତ ବିପକ୍ଷ ମ୍ୟାଚ ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଯଦି ପାକିସ୍ତାନ ଆଜି ହାରିଯାଏ, ତେବେ ଟୁର୍ନାମେଣ୍ଟରେ ଆଗକୁ ବଢ଼ିବାର ଦ୍ୱାର ଦଳ ପାଇଁ ବନ୍ଦ ହୋଇଯିବ। ସେହିଭଳି ପାକିସ୍ତାନକୁ ପରାସ୍ତ କରି ଭାରତୀୟ ଦଳ ସେମିଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଚାହିଁବ।
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ହର୍ଷିତ ରାଣା
ପାକିସ୍ତାନ: ମହମ୍ମଦ ରିଜୱାନ (ଅଧିନାୟକ), ବାବର ଆଜମ, ସଲମାନ ଆଗା, ସୌଦ ଶକିଲ, ଇମାମ-ଉଲ-ହକ, ତୈୟବ ତାହିର, ଖୁସଦିଲ ଶାହ, ଶାହିନ ଶାହ ଆଫ୍ରିଦି, ନସିମ ଶାହ, ହାରିସ ରୌଫ, ଅବରାର ଅହମ୍ମଦ