ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏସବୁ ମଧ୍ୟରେ ବିଶ୍ୱକପ୍‌ରେ ଖେଳିବା ଲାଗି ଏମ୍‌ ଏସ୍‌ ଧୋନୀଙ୍କୁ ମନାଇବା ଖବର ସାମ୍ନାକୁ ଆସିଛି। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ଲାଗି ଧୋନୀଙ୍କୁ ରାଜି କରାଇବା ଲାଗି ବୟାନ ଦେଇଛନ୍ତି। ଏହି ସମୟରେ ସେ ଦୀନେଶ କାର୍ତ୍ତିକଙ୍କୁ ନେଇ ମଧ୍ୟ ନିଜ ରାୟ ସ୍ପଷ୍ଟ କରିଛନ୍ତି। ଟି୨୦ ବିଶ୍ୱକପ୍‌ ଲାଗି ଧୋନୀଙ୍କୁ ରାଜି କରାଇବା ସାମାନ୍ୟ କଷ୍ଟକର। ହେଲେ କାର୍ତ୍ତିକଙ୍କୁ ସାମିଲ କରିବା ସେତିକି ସହଜ ବୋଲି ସେ କହିଛନ୍ତି।
ଟି୨୦ ବିଶ୍ୱକପ୍‌ର ସମ୍ଭାବନାକୁ ନେଇ ରୋହିତ ଏକ ୟୁଟ୍ୟୁବ ଚ୍ୟାନେଲକୁ କହିଛନ୍ତି, ଧୋନୀ ଟି୨୦ ବିଶ୍ୱକପ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ ଆସିବେ କି ନାହିଁ,ସେନେଇ କୁହାଯାଇପାରିବ ନାହିଁ। ଏଥିଲାଗି ତାଙ୍କୁ ରାଜି କରାଇବା କଷ୍ଟକର। ହେଲେ ସେ ଆମେରିକା ଆସିପାରନ୍ତି। କାରଣ ସେ ଗୋଲ୍ଫ ସହ ଜଡ଼ିତ। ସେଠାରେ ସେ ଗୋଲ୍ଫ ଖେଳିପାରିବେ। ହେଲେ କାର୍ତ୍ତିକଙ୍କୁ ରାଜି କରାଇବା ଧୋନୀଙ୍କଠାରୁ ଅଧିକ ସହଜ ବୋଲି ସେ କହିଛନ୍ତି।

Share
Tags: Sports News