୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ…

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି ଅନକ୍ୟାପ୍ଡ ଖେଳାଳି ଉପରେ ଅନେକ ଫ୍ରାଞ୍ଚାଇଜ୍‌ ଜୋରଦାର ବୋଲି ଲଗାଇଥିଲେ। ଶେଷରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତାଙ୍କୁ ୧୪.୨୦ କୋଟି ଟଙ୍କାର ବିଶାଳ ରାଶ ଦେଇ ନିଜ ଦଳରେ ସାମିଲ କରିଛି। କାର୍ତ୍ତିକଙ୍କ ବେସ୍‌ ପ୍ରାଇସ ମାତ୍ର ୩୦ ଲକ୍ଷ ଟଙ୍କା ଥିଲା। କିନ୍ତୁ ବୋଲି ଆରମ୍ଭ ହେବା ସହ ମୂଲ୍ୟ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଥିଲା। ଶେଷରେ ସବୁଠାରୁ ବଡ଼ କ୍ରୟ ଭାବେ ସିଏସ୍‌କେ ତାଙ୍କୁ ଦଳରେ ସାମିଲ କରିଥିଲା।  ସିଏସ୍କେ ଦୀର୍ଘଦିନ ଧରି ଏହି ଖେଳାଳି ଉପରେ ନଜର ରଖିଥିଲା।
ଗତ ବର୍ଷ କାର୍ତ୍ତିକ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁର ଟ୍ରାଏଲ୍‌ରେ ଭାଗ ନେଇଥିଲେ। କିନ୍ତୁ ପରେ ସେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରି-ସିଜନ କ୍ୟାମ୍ପରେ ନଜର ଆସିଥିଲେ। କ୍ୟାମ୍ପ ସମୟରେ ଏକ ସମୟରେ ଆଲୋଚନା ହୋଇଥିଲା ଯେ କୌଣସି ଖେଳାଳିଙ୍କ ଆଘାତ ଯୋଗୁ ରିପ୍ଲେସମେଣ୍ଟ ଭାବେ ତାଙ୍କୁ ଦଳରେ ସାମିଲ କରାଯାଇପାରେ, କିନ୍ତୁ ନୀଲାମୀ ରେଜିଷ୍ଟ୍ରେସନ ନ ହେବା କାରଣରୁ ଏପରି ହୋଇପାରି ନ ଥିଲା। ଅପରପକ୍ଷେ ଏଥର ସେ କୋଲକାତା ନାଇଟ ରାଇଡର୍ସ ପାଇଁ ମଧ୍ୟ ଟ୍ରାଏଲ ଦେଇଥିଲେ। ସେଠାରେ ସେ ପ୍ରାୟ ୩୫ ବଲରେ ଶତକ ମାରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ନୀଲାମୀରେ କେକେଆର୍‌ ମଧ୍ୟ ତାଙ୍କୁ କିଣିବା ଦୌଡ଼ରେ ଥିଲା। କିନ୍ତୁ ସିଏସ୍‌କେ ବାଜି ମାରି ନେଇଥିଲା।

କାର୍ତ୍ତିକ ଶର୍ମା ବଡ଼ ବଡ଼ ଛକା ମାରିବା ପାଇଁ ଜଣାଶୁଣା। ୨୦୨୪-୨୫ ସିଜନ୍‌ରେ ସେ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ ଏବଂ ଉତ୍ତରାଖଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ହିଁ ଶତକ ହାସଲ କରିଥିଲେ। ବିଜୟ ହଜାରେ ଟ୍ରଫିରେ ମଧ୍ୟ ଡେବ୍ୟୁ ମ୍ୟାଚ୍ରେ ଶତକ ମାରିବାର କାରନାମା କରିଥିଲେ। ସେ ନିକଟରେ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଅଂଶ ମଧ୍ୟ ଥିଲେ। କିନ୍ତୁ ଆଘାତ ଯୋଗୁ ତାଙ୍କୁ ଟୁର୍ନାମେଣ୍ଟରୁ ବାହାର ହେବାକୁ ପଡ଼ିଥିଲା।

Dharitri – Odisha’s No.1 Odia Daily

Share