ସମ୍ପୂର୍ଣ୍ଣ ଭାବେ ବଦଳିଯିବ ବ୍ୟାଡମିଣ୍ଟନ୍‌, ଆସିଲା ନୂଆ ସ୍କୋରିଂ ସିଷ୍ଟମ୍‌; ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୨: ବ୍ୟାଡମିଣ୍ଟନ ଖେଳ ବିଶ୍ୱର ଲୋକପ୍ରିୟ ଖେଳ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଏହାକୁ ଖେଳାଯାଏ। ଭାରତର ଜ୍ୱାଲା ଗୁଟ୍ଟା, ପିଭି ସିନ୍ଧୁ ଏବଂ ସାଇନା ନେହୱାଲଙ୍କ ଭଳିି ତାରକା ଖ୍ୟାତି ଅର୍ଜନ କରିଛନ୍ତି। ନିକଟରେ ବିଶ୍ୱ ଫେଡେରେଶନ(BWF) ବ୍ୟାଡମିଣ୍ଟନ୍‌କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। BWFର ନିଷ୍ପତ୍ତି ପରେ ଏହି ଖେଳ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। ଏଥିରେ ପୁରୁଣା ସ୍କୋରିଂ ସିଷ୍ଟମ ବଦଳରେ ଏକ ନୂତନ ସ୍କୋରିଂ ସିଷ୍ଟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିଯୋଗୁ ବ୍ୟାଡମିଣ୍ଟନରେ କ’ଣ ପରିବର୍ତ୍ତନ ହେବ ଆସନ୍ତୁ ଜାଣିବା?
ବ୍ୟାଡମିଣ୍ଟନକୁ ନେଇ ବିଶ୍ୱ ଫେଡେରେସନ (BWF) ନଭେମ୍ବର ୨୦୨୪ରେ ମାଲେସିଆରେ ଏକ ନୂତନ ସ୍କୋରିଂ ସିଷ୍ଟମ ପ୍ରସ୍ତାବ ଦେଇଥିଲା। ବର୍ତ୍ତମାନ ବ୍ୟାଡମିଣ୍ଟନ୍‌ ତିନୋଟି ସେଟରେ ଖେଳାଯାଉଛି। ଆଗାମୀ ଦିନରେ ଖେଳ ପୂର୍ବଭଳି ତିନୋଟି ସେଟରେ ଜାରି ରହିବ, କିନ୍ତୁ ପଏଣ୍ଟ ପରିବର୍ତ୍ତନ ହେବ। ପୂର୍ବରୁ ପ୍ରତ୍ୟେକ ସେଟରେ ୨୧ ପଏଣ୍ଟ ଥିଲା। କିନ୍ତୁ ଏବେ ପ୍ରତ୍ୟେକ ସେଟରେ ୧୫ ପଏଣ୍ଟ ରହିବ। ଏହାର ସବୁଠାରୁ ବଡ଼ ସୁବିଧା ହେବ ଯେ ଖେଳଟି ଏବେ ପୂର୍ବ ଅପେକ୍ଷା ଛୋଟ ହେବ, ଯାହା ଦର୍ଶକଙ୍କୁ ଅଧିକ ମନୋରଞ୍ଜନ ଯୋଗାଇବ। ଏଥିସହ ଖେଳାଳିମାନେ ଆହତ ହେବାର ସମ୍ଭାବନା ହ୍ରାସ ପାଇବ।
ନୂତନ ସ୍କୋରିଂ ସିଷ୍ଟମ କେବେ କାର୍ଯ୍ୟକାରୀ ହେବ?
ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ନୂତନ ସ୍କୋରିଂ ସିଷ୍ଟମ କେବେ କାର୍ଯ୍ୟକାରୀ ହେବ? BWF ପ୍ରାୟ ତିନି ମାସ ପୂର୍ବରୁ ଏହି ପ୍ରସ୍ତାବ ଦେଇଥିଲା। ତଥାପି ଏହାକୁ କାର୍ଯ୍ୟକାରୀ କରିବା ପାଇଁ କିଛି ସମୟ ଲାଗିବ। ପ୍ରଥମେ ଏହାକୁ ପରୀକ୍ଷା କରାଯିବ। ସଫଳ ପରୀକ୍ଷଣ ପରେ ହିଁ ନୂତନ ସ୍କୋରିଂ ସିଷ୍ଟମ କାର୍ଯ୍ୟକାରୀ ହେବ। ତେବେ ଏହାକୁ ଗ୍ରେଡ ୩ ଟୁର୍ନାମେଣ୍ଟ, ଜାତୀୟ ଟୁର୍ନାମେଣ୍ଟ, ଜାତୀୟ ଏବଂ ଅନ୍ତର୍ଜାତୀୟ ଲିଗ୍‌ ଏବଂ ମହାଦେଶୀୟ ଚାମ୍ପିଅନଶିପରେ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।
କୁହାଯାଉଛି ଯେ ନୂତନ ସ୍କୋରିଂ ସିଷ୍ଟମ ଏପ୍ରିଲ ୨୦୨୫ ରୁ ସେପ୍ଟେମ୍ବର-ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପରୀକ୍ଷଣ କରାଯିବ। ଏହା ପରେ BWF ଖେଳାଳି, ପ୍ରଶିକ୍ଷକ ଏବଂ ଅଂଶୀଦାରମାନଙ୍କ ସହିତ କଥା ହୋଇ ଏବଂ ପରାମର୍ଶ ଏବଂ ମତାମତ ନେଇ ୨୦୨୬ରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇପାରିବ। ସେହି ସମୟରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହେବ। ଯେଉଁଥିରେ BWF କିଛି ନିଷ୍କର୍ଷରେ ପହଞ୍ଚିବାର ସମ୍ଭାବନା ରହିଛି।
କହିରଖୁଛୁ, ମୂଳତଃ ଏହି ଖେଳ କେବଳ ୧୫ ପଏଣ୍ଟର ଥିଲା। ଏହା ସତ୍ତ୍ୱେ ଖେଳଟି ବର୍ତ୍ତମାନ ଅପେକ୍ଷା ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଚାଲୁଥିଲା। ସେତେବେଳେ ଏହାର ନିୟମ ଆହୁରି ଭିନ୍ନ ଥିଲା।