Categories: Home Leftଖେଳ

ଟ୍ରାଏଲ୍ସ ପାଇଁ ବଜରଙ୍ଗଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨ା୮: କୁସ୍ତି ବିଶ୍ୱ ଚାମ୍ପିୟନଶିପ ଟ୍ରାଏଲ୍ସରେ ଯୋଗ ଦେବା ପାଇଁ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ନିର୍ଦ୍ଦେଶ ଦେଇଛି ଭାରତୀୟ କ୍ରୀଡା ପ୍ରାଧିକରଣ(ସାଇ)। ଅଗଷ୍ଟ ୨୫ ଓ ୨୬ ତାରିଖରେ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍‌ର ଟ୍ରାଏଲ୍ସ ଅନୁଷ୍ଠିତ ହେବ। ହାଙ୍ଗଝୌ ଏସିଆନ୍‌ ଗେମ୍ସ ପ୍ରସ୍ତୁତି ପାଇଁ ବିଦେଶରେ ପ୍ରଶିକ୍ଷଣ ନେବାର କାରଣ ଦର୍ଶାଇ ଟ୍ରାଏଲ୍ସରୁ ରିହାତି ପାଇଁ ବଜରଙ୍ଗ ଅନୁରୋଧ କରିଛନ୍ତି। ସେପ୍ଟେମ୍ବର ୨୩ ତାରିଖରୁ ଏସିଆନ୍‌ ଗେମ୍ସ ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ରେସ୍‌ଲିଂ ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ)ର ପୂର୍ବତନ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ୬ ରେସ୍‌ଲରଙ୍କ ମଧ୍ୟରୁ ବଜରଙ୍ଗ ଅନ୍ୟତମ। ଆନ୍ଦୋଳନ କାରଣରୁ ବଜରଙ୍ଗ ଏସିଆନ୍‌ ଗେମ୍ସ ଟ୍ରାଏଲ୍ସରେ ଭାଗ ନେଇ ନ ଥିବା ବେଳେ ତାଙ୍କୁ ସିଧାସଳଖ ଯୋଗ୍ୟତା ମିଳିଥିଲା। ବର୍ତ୍ତମାନ ବିଦେଶରେ ପ୍ରଶିକ୍ଷଣ କାରଣରୁ ଆଉଥରେ ଟ୍ରାଏଲ୍ସରୁ ରିହାତି ପାଇଁ ବଜରଙ୍ଗ ଅନୁରୋଧ କରିଥିବା ବେଳେ ସାଇ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ୨୫ ଓ୨୬ରେ ଟ୍ରାଏଲ୍ସ ରହିଥିବା ବେଳେ ବଜରଙ୍ଗ ୨୭ ତାରିଖରେ ବିଦେଶ ଗସ୍ତ କରିପାରନ୍ତି ବୋଲି କୁହାଯାଇଛି। ସେହିପରି ୮୬ କିଗ୍ରା ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୀପକ ପୁନିଆ ମଧ୍ୟ ଟ୍ରାଏଲ୍ସରୁ ରିହାତି ପାଇଁ ଆବେଦନ କରିଛନ୍ତି। ବଜରଙ୍ଗ କିର୍ଗିଜସ୍ତାନର ଇସିକ୍‌ କୁଲରେ ଅଭ୍ୟାସ ପାଇଁ ଅନୁମତି ମାଗିଥିବା ବେଳେ ଦୀପକ ରୁଷିଆର ଖାସାଭିରୁଟରେ ଅଭ୍ୟାସ ପାଇଁ ଅନୁମତି ମାଗିଛନ୍ତି।