କୋଭିଡ୍‌ ଭାରିଆଣ୍ଟ ବିରୋଧରେ ସ୍ପାଇକ୍‌ ପ୍ରୋଟିନ୍‌ ଟିକା ଫଳପ୍ରଦ

ଚେନ୍ନାଇ,୨୮।୯(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ର ବିଭିନ୍ନ ଭାରିଆଣ୍ଟ ବିରୋଧରେ ସ୍ପାଇକ୍‌ ପ୍ରୋଟିନ୍‌ ଟିକା ଫଳପ୍ରଦ ପ୍ରତିଷେଧକ ହୋଇପାରିବ ବୋଲି ଆଇଆଇଟି ମାଡ୍ରାସ୍‌ର ଏକ ଗବେଷକ ଟିମ୍‌ ଅଧ୍ୟୟନରୁ ଜାଣିପାରିଛନ୍ତି। ଟିକାଦ୍ୱାରା ଉତ୍‌ପ୍ରେରିତ ଟି-ସେଲ୍‌ କୋଭିଡ୍‌ର ଡେଲ୍‌ଟା ପ୍ଲସ୍‌, ଗାମା, ଜେଟା, ମିଙ୍କ୍‌ ଏବଂ ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣକୁ ରୋକିପାରିବ ବୋଲି ଅଧ୍ୟୟନରେ କୁହାଯାଇଛି। ସ୍ପାଇକ୍‌ ପ୍ରୋଟିନ୍‌ ଭିତ୍ତିକ ବିଭିନ୍ନ ଟିକା କେବଳ ଆଣ୍ଟିବଡି ରେସ୍‌ପନ୍ସକୁ ବଢ଼ାଉଛି କିମ୍ବା ଉଭୟ ଆଣ୍ଟିବଡି ଏବଂ ଟି-ସେଲ୍‌ ରେସ୍ପନ୍ସକୁ ବଢ଼ାଉଛି, ତାହା ଉପରେ ଟିକାର ଫଳପ୍ରଦତା ନିର୍ଭର କରେ ବୋଲି ଆଇଆଇଟି ମାଡ୍ରାସର ଆସିଷ୍ଟାଣ୍ଟ ପ୍ରଫେସର ବାଣୀ ଜାନକୀରମଣ କହିଛନ୍ତି। ପ୍ରଥମେ ବିଭିନ୍ନ ଭାରିଆଣ୍ଟର ମ୍ୟୁଟେଶନ୍‌ର ଏପିଟୋପ୍‌ ସେକ୍ୱେନ୍ସକୁ ଅନୁଶୀଳନ କରିବା ଦ୍ୱାରା ଯଦି ସେଗୁଡ଼ିକ ପ୍ରତିଷେଧକ ପ୍ରକ୍ରିୟାରେ ଥିବା ଟି-ସେଲ୍‌କୁ ବଢ଼ାଇପାରୁଥିବେ, ସେଥିରୁ ଟିକାର ପ୍ରତିରୋଧ ସାମର୍ଥ୍ୟ ଆକଳନ କରାଯାଇପାରିବ ବୋଲି ଜାନକୀରମଣ କହିଛନ୍ତି।
ଗବେଷକମାନଙ୍କ କହିବା ଅନୁଯାୟୀ, କୋଭିଡ୍‌ ଭାରିଆଣ୍ଟଗୁଡ଼ିକରେ ଭୂତାଣୁର ସ୍ପାଇକ୍‌ ପ୍ରୋଟିନ୍‌ରେ ଅଣୁସ୍ତରରେ ପରିବର୍ତ୍ତନ ହୋଇଥାଏ। ଏହି ପରିବର୍ତ୍ତନରେ ପ୍ରୋଟିନ୍‌ ସିକ୍ୱେନ୍ସ ସାମିଲ ଥାଇପାରେ, ଯାହାକୁ ଟି-ସେଲ୍‌ ଚିହ୍ନଟ କରିଥାଏ। ତେଣୁ କୋଭିଡ୍‌ ଭୂତାଣୁର ବିଭିନ୍ନ ଭାରିଆଣ୍ଟ ବିରୋଧରେ ଲଢ଼ିବାରେ ସ୍ପାଇକ୍‌ ପ୍ରୋଟିନ୍‌ ଟିକା ଫଳପ୍ରଦ ହୋଇପାରିବ ବୋଲି ସେମାନେ କହିଛନ୍ତି।