ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଜଣେ ଛାତ୍ରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟ ଜଣେ ମେଡିକାଲ ଛାତ୍ର ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ବାଇକର ଜଣକ ମଧ୍ୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ଶନିବାର ରାତି ପ୍ରାୟ ୯ଟା ସମୟରେ ଭାଗିରଥୀ ଛକ ସର୍କିଟ ହାଉସ ଦେଇ ଜଣେ ବାଇକ ଆରୋହୀ କ୍ଷୀପ୍ର ଗତିରେ ବାଇକ୍ ଚଲାଉଥିଲେ‌। ସେଇ ରାସ୍ତା କଡରେ ଥିବା ଏକ ଦୋକାନରୁ ଚା ପିଇ ଭୀମଭୋଇ ମେଡ଼ିକାଲ କଲେଜ ଫେରୁଥିବା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଏକ ସ୍କୁଟିକୁ ଧକ୍କା ଦେବାରୁ ସେଥିରେ ବସିଥିବା ଡାକ୍ତରୀ ଛାତ୍ରୀ ଜଣକ ଛିଟିକି ପଡ଼ିଥିଲେ। ଗୁରୁତର ଆହତ ଡାକ୍ତରୀ ଛାତ୍ରୀଙ୍କୁ ସାଥୀ ଡାକ୍ତରୀ ଛାତ୍ରୀଛାତ୍ର ମାନେ ଅଟୋ ଯୋଗେ ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ନେଇ ଭର୍ତ୍ତି କରିଥିଲେ। ପରେ ଟାଉନ ଥାନା ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଅନ୍ୟ ଆହତ ମାନଙ୍କୁ ନେଇଥିଲେ l ଟାଉନ୍ ପୋଲିସ ଦୁର୍ଘଟଣା ଘଟାଇଥିବା ବାଇକ୍କୁ ଜବତ କରିଥିବା ଜଣାପଡିଛି। ନିଶା ସେବନ କରି କ୍ଷୀପ୍ର ଗତିରେ ବାଇକ୍ ଚଲାଉଥିବାରୁ ସହରର ବିଭିନ୍ନ ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।