ମୋରଡ଼ା,୭ା୧୧(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ପଞ୍ଚାୟତ ସମିତିର ସ୍ବତନ୍ତ୍ର ସାଧାରଣ ଅଧିବେଶନ ଚିତ୍ରଡାସ୍ଥିତ ବ୍ଲକ କାଯଳୟ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ପୀଥନାଥ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ବିଡିଓ ଅଣାକର ନାଏକ, ଅତିରିକ୍ତ ତହସିଲଦାର ଜୟନ୍ତ କୁମାର ସୋରେନ, ଏଇଇ ସୁଶାନ୍ତ ନାଏକ, ଏବିଡିଓ ସୁଶାନ୍ତ ରାଉଳ, ଜିପିଡିଓ ଶଙ୍କର ମୁର୍ମୁ, କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ହାମ୍ବିରା ମୁର୍ମୁ, ବ୍ଲକ ଉପାଧ୍ୟକ୍ଷା ଜେମାମଣି ମହାନ୍ତ, ଜିଲା ପରିଷଦ ସଭ୍ୟା ଝରଣା ମୁର୍ମୁ, ସଭ୍ୟ ଅଭିରାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବୈଠକ ଆରମ୍ଭ ହେବା ପୂର୍ବରୁ ଚିକିଟାମାଟିଆ ସମିତି ସଭ୍ୟ ଉପେନ୍ଦ୍ର ମହାନ୍ତ ମଞ୍ଚ ତଳେ ବସିଥିଲେ, ଯାହାକୁ ନେଇ ଗୃହରେ ତୁମ୍ବି ତୋଫାନ ଦେଖା ଦେଇଥିଲା। ଚିକିଟାମାଟିଆ ପଞ୍ଚାୟତର ହାତୀ ଉପଦ୍ରବ ଗ୍ରାମରେ ରାସ୍ତା ର୍ନିମାଣ, ଲୋକଙ୍କୁ ଭତ୍ତା ନ ଥିବା, ଫୁଲଝରୀ-ଭାତଛତର ଗ୍ରାମରେ ଚାଷୀଙ୍କ ପାଇଁ ସୁବର୍ଣ୍ଣରେଖା ଶାଖା କେନାଲ ର୍ନିମାଣ, ଚିକିଟାମାଟିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବି ଆଦି ସମସ୍ୟାକୁ ନେଇ ସମିତି ସଭ୍ୟ ତଳେ ବସିଥିଲେ। ସମସ୍ୟାଗୁଡ଼କର ସମାଧାନ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ ପ୍ରତିଶ୍ରୁତି ଦେବାରୁ ସେ ତଳୁ ଉଠିଥିଲେ। ଏହା ପରେ ଏଇଇ ସୁଶାନ୍ତ ନାଏକ ବିକଶିତ ଗାଁ ବିକଶିତ ଓଡ଼ିଶାର ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ଅବଗତ କରାଇଥିଲେ। ୨୦୨୪-୨୫ ଆର୍ଥିକ ବର୍ଷରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ମୋରଡ଼ା ବ୍ଲକକୁ ୮୮ଟି ପ୍ରକଳ୍ପ ବାବଦରେ ୪ କୋଟି ୪ଲକ୍ଷ ୬୯ ହଜାର ୧୨୨ ଟଙ୍କା ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଥିରୁ ୩୦ଟି ପ୍ରକଳ୍ପ ସରିଛି, ଯେଉଁଥିରେ ୧କୋଟି ୩୨ ଲକ୍ଷ ୮୪ ହଜାର ୧୪୯ ଟଙ୍କା ଖର୍ଚ୍ଚ ହୋଇଛି l ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ୮ କୋଟି ୯ ଲକ୍ଷ ଟଙ୍କାର ପ୍ରକଳ୍ପ ମଞ୍ଜୁରୀ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ କୋଟି ଟଙ୍କା ଆସିଛି ଏବଂ ବ୍ଲକର ମୋଟ ୧୦୦ଟି ବିଦ୍ୟାଳୟର ମରାମତି କାର୍ଯ୍ୟ ହେବ ବୋଲି ଏଇଇ ନାଏକ ସୂଚନା ଦେଇଥିଲେ। ଚଢ଼େଇ ଗାଁ ପଞ୍ଚାୟତରେ ଯକ୍ଷ୍ମା ରୋଗର ଚି଼ହ୍ନଟ ନିମନ୍ତେ ନମୁନା ସଂଗ୍ରହ ପାଇଁ ଆଶା କର୍ମୀମାନେ ଘରକୁ ଘର ଯାଉନାହାନ୍ତି ବୋଲି ସରପଞ୍ଚ ଅନୁରାଧା ସି କହିଥିଲେ । ଏହାପରେ ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ଯୋଗାଣ ଏବଂ ଅନ୍ୟ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅଧିବେଶନରେ ବ୍ଲକ ଅଧୀନ ୨୦ଟି ପଞ୍ଚାୟତର ସମିତି ସଭ୍ୟ ଏବଂ ସରପଞ୍ଚମାନେ ଉପସ୍ଥିତ ଥିଲେ।