ଫାଇନାଲ ଖେଳିବେ ଭାରତ-ନ୍ୟୁଜିଲାଣ୍ଡ, ଶେଷ ଯାଏ ଲଢ଼ି ବି ହାରିଗଲା…

ଲାହୋର,୫।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲକୁ ଗଲା ନ୍ୟୁଜିଲାଣ୍ଡ। ବୁଧବାର ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳିଥିବା ଦ୍ୱିତୀୟ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି ଦଳ ଫାଇନାଲରେ ପ୍ରବେଶ କରିଛି। ଶେଷ ଯାଏ ଲଢ଼ିବା ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଶେଷରେ ୫୦ ରନ୍‌ରେ ହାର୍‌ ମାନିଛି। ଏବେ ନ୍ୟୁଜିଲାଣ୍ଡ ଭାରତୀୟ ଟିମ୍‌ ସହ ଫାଇନାଲ ଖେଳିବ। ଏହି ମ୍ୟାଚ୍‌ ଦୁବାଇରେ ଅନୁଷ୍ଠିତ ହେବ।

ଲାହୋର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଏହି ନିର୍ଣ୍ଣାୟକ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ପାହାଡ଼ ଭଳି ସ୍କୋର ଛିଡ଼ା କରିଥିଲା। ନିର୍ଦ୍ଧାରିତ ୫୦ ଓଭରରେ ଦଳ ୬ ଉଇକେଟ ହରାଇ ୩୬୨ ରନ୍‌ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୯ ଉଇକେଟ ହରାଇ ୩୧୨ ରନ୍‌ କରିପାରିଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ରାଚିନ ରବିନ୍ଦ୍ର ୧୦୮ ରନ୍‌, କେନ୍‌ ଓ୍ବିଲିୟମସନ୍‌ ୧୦୨ ଏବଂ ଗ୍ଲେନ୍‌ ଫିଲିପ୍ସ ୪୯ରନ୍‌ର ଇନିଂସ ଖେଳିଥିଲେ। ସେହିଭଳି ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେଭିଡ୍‌ ମିଲର୍‌ ଅପରାଜିତ ୧୦୦ ରନ୍‌ କରି ଶେଷ ଯାଏ ଲଢ଼ିଥିଲେ। ସେହିଭଳି ଦୁସେନ୍‌ ୬୯ ଏବଂ ଟେମ୍ବା ବାଭୁମା ୫୬ ରନ୍‌ର ଇନିଂସ ଖେଳିଥିଲେ।

Share