SA vs AFG: ହାର ମାନିଲା ଆଫଗାନିସ୍ତାନ, ୨ଟି ସୁପର ଓଭର ମୁକାବିଲାରେ ବାଜି ମାରିଲା ସାଉଥ ଆଫ୍ରିକା

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦ ଗ୍ରାଉଣ୍ଡରେ ଟି-୨୦ ବିଶ୍ୱକପ୍ ୨୦୨୬ର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଗୋଟିଏ ନୁହେଁ, ବରଂ ଦୁଇଟି ସୁପର ଓଭର ପରେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନ ବିପକ୍ଷରେ ଏକ ସ୍ମରଣୀୟ ବିଜୟ ହାସଲ କରିଛି। ନିର୍ଦ୍ଧାରିତ ଓଭରରେ ମ୍ୟାଚ୍ ଶେଷ ନ ହେବାରୁ ଦୁଇଟି ସୁପର ଓଭରରେ ମ୍ୟାଚ ନିର୍ଣ୍ଣୟ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ରିଆନ୍ ରିକେଲଟନ୍ (୬୧) ଏବଂ କ୍ୱିଣ୍ଟନ୍ ଡି କକ୍ (୫୯) ଚମତ୍କାର ଅର୍ଦ୍ଧଶତକ ହାସଲ କରି ଦଳୀୟ ସ୍କୋରକୁ ୧୮୭ରେ ପହଞ୍ଚାଇଥିଲେ। ଜବାବରେ ଆଫଗାନିସ୍ତାନର ରହମାନୁଲ୍ଲା ଗୁରବାଜ ୮୪ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ ମଧ୍ୟ ଦଳ ୨୦ ଓଭରରେ ସମାନ ୧୮୭ ରନ୍ କରିବାକୁ ସକ୍ଷମ ହୋଇଥିଲା।

ପ୍ରଥମ ସୁପର ଓଭରରେ ଆଫଗାନିସ୍ତାନ ୧୭ ରନ୍ ସଂଗ୍ରହ କରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଟ୍ରିଷ୍ଟାନ ଷ୍ଟବ୍ସ ଶେଷ ବଲରେ ଛକା ମାରି ମ୍ୟାଚ୍‌କୁ ପୁଣି ଟାଇ କରିଥିଲେ। ଦ୍ୱିତୀୟ ସୁପର ଓଭରରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୪ ରନ୍ ସଂଗ୍ରହ କରିଥିଲା। ୨୫ ରନର ଟାର୍ଗେଟକୁ ପିଛା କରି ଗୁରବାଜ କ୍ରମାଗତ ତିନୋଟି ଛକା ମାରିଥିଲେ ସୁଦ୍ଧା ଶେଷ ବଲରେ ଆଉଟ୍ ହେବା ଫଳରେ ଆଫଗାନିସ୍ତାନ ମ୍ୟାଚ୍ ହାରିଯାଇଥିଲା। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ଗ୍ରୁପ୍-ଡି’ର ଶୀର୍ଷରେ ରହି କ୍ୱାଲିଫାଇ କରିବା ଦୌଡ଼ରେ ଆଗରେ ରହିଛନ୍ତି। ଅନ୍ୟପଟେ ଆଫଗାନିସ୍ତାନ ଲଗାତାର ଦ୍ୱିତୀୟ ପରାଜୟ ସହ ସଂକଟରେ ପଡ଼ିଛି।

Share