କେବିସିରେ ସୋଫିଆ, ବ୍ୟୋମିକା

ନୂଆଦିଲ୍ଲୀ, ୧୪ା୮: ଲୋକପ୍ରିୟ ଟିଭି ରିଆଲିଟି ଶୋ’ ‘କୋନ୍‌ ବନେଗା କରୋଡ୍‌ପତି’ରେ ଶୁକ୍ରବାର ସ୍ବାଧୀନତା ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର ଏପିସୋଡ୍‌ ପ୍ରସାରିତ ହେବ। ଭାରତର ଆତଙ୍କବାଦ ବିରୋଧୀ ଅପରେଶନ ସିନ୍ଦୂର ସମ୍ପର୍କରେ ଦେଶବାସୀଙ୍କୁ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଥିବା ସେନାର ୨ ମହିଳା ଅଧିକାରୀ କଲୋନେଲ୍‌ ସୋଫିଆ କୁରେଶୀ ଓ ଓ୍ବିଙ୍ଗ୍‌ କମାଣ୍ଡର ବ୍ୟୋମିକା ସିଂଙ୍କୁ ଏହି ଏପିସୋଡ୍‌ ପାଇଁ ନିମନ୍ତ୍ରଣ କରାଯାଇଛି। ଶୁକ୍ରବାର ରାତି ୯ଟାରେ ସୋନି ଟିଭିରେ ଏହି ସ୍ବତନ୍ତ୍ର ଏପିସୋଡ୍‌କୁ ଟେଲିକାଷ୍ଟ କରାଯିବ। ଏହାପୂର୍ବରୁ ସୋନି ଟିଭି ପକ୍ଷରୁ ସୋସିଆଲ ମିଡିଆରେ ଏହି ଏପିସୋଡ୍‌ର ଏକ ପ୍ରୋମୋକୁ ଜାରି କରାଯାଇଛି, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏକ ପ୍ରାଇଭେଟ କମ୍ପାନୀର ରିଆଲିଟି ଶୋ’ରେ ଭାରତୀୟ ସେନାର ୨ ବରିଷ୍ଠ ମହିଳା ଅଧିକାରୀ ଯୋଗଦେବାକୁ ନେଇ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି। ଏହା କେନ୍ଦ୍ର ସରକାରଙ୍କ ଏକ ପିଆର୍‌. ଷ୍ଟଣ୍ଟ୍‌ ଏବଂ ରାଜନୈତିକ ଲାଭ ପାଇଁ ୨ ସେନା ଅଧିକାରାଙ୍କୁ ବ୍ୟବହାର କରାଯାଉଛି ବୋଲି ଶିବଶେନା (ୟୁବିଟି) ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି।