ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସୋନୁଙ୍କ ବଡ ପଦକ୍ଷେପ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ପଦକ୍ଷେପ ନେଇଛନ୍ତି। ସେ ପଞ୍ଜାବ ଷ୍ଟେଟ ଆଇକନ ପଦରୁ ନିଜେ ଓହରି ଯାଇଛନ୍ତି। ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏସ କରୁଣା ରାଜୁ ସୂଚନା ଦେଇଛନ୍ତି। ସୋନୁଙ୍କ ଭଉଣୀ ମାଳବିକା ସୁଦ ଏଥର ପଞ୍ଜାବରେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୋନୁ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ନିର୍ବାଚନ ଆୟୋଗ ନିର୍ବାଚନ ବେଳେ ଲୋକଙ୍କ ମତାଧିକାର ହାରକୁ ବୃଦ୍ଧି କରିବା ପାଇଁ ସୋନୁଙ୍କୁ ଷ୍ଟେଟ ଆଇକନ ଭାବେ ନିଯୁକ୍ତି ଦେଇଥିଲେ। ସେ ଲୋକମାନଙ୍କୁ ମତାଧିକାର ସମ୍ପର୍କରେ ବୁଝାଇବା ସହ ସେମାନଙ୍କୁ ଭୋଟ କେନ୍ଦ୍ରକୁ ଆସିବା ପାଇଁ ଉତ୍ସାହିତ କରିଥାଆନ୍ତେ। ତେବେ ସୋନୁ ଟୁଇଟ୍‌ କରି କହିଛନ୍ତି, ସବୁ ଭଲ ଜିନିଷ ପରି ଏହି ଯାତ୍ରା ମଧ୍ୟ ଶେଷ ହୋଇଛି। ମୁଁ ମୋ ନିଜ ଇଚ୍ଛାରେ ପଞ୍ଜାବ ଷ୍ଟେଟ ଆଇକନ ପଦରୁ ଓହରି ଯାଇଛି। ଏହି ନିଷ୍ପତ୍ତି ମୁଁ ଓ ନିର୍ବାଚନ କମିଶନ ମିଳିତ ଭାବେ ଆଲୋଚନା କରି ନେଇଛୁ।