ମିଳିଲାନି ନୋମିନେଶନ, IIFA ଉପରେ ବର୍ଷିଲେ ସୋନୁ ନିଗମ

ମୁମ୍ବାଇ: ଇଣ୍ଟରନ୍ୟାଶ୍‌ନାଲ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ (ଆଇଆଇଏଫ୍‌ଏ) ୨୦୨୫ ଆଓ୍ବାଡର୍‌ସ ସମାରୋହ ଗତ ୮ ଏବଂ ୯ ତାରିଖରେ ଜୟପୁରରେ ଆୟୋଜିତ ହୋଇଥିଲା। ଏହି ସମାରୋହରେ ବିଭିନ୍ନ ଶ୍ରେଣୀରେ ଶ୍ରେଷ୍ଠ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା।

ତେବେ ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କୁ ‘ବେଷ୍ଟ ମେଲ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର’ ଶ୍ରେଣୀରେ ନୋମିନେଶନ ମିଳି ନ ଥିଲା। ଏନେଇ ସୋନୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ସମାଲୋଚନାମୂଳକ ପୋଷ୍ଟ ଶେୟାର କରିଛନ୍ତି। ଏଥିପାଇଁ ସେ ରାଜସ୍ଥାନ ସରକାରଙ୍କୁ ଦାୟୀ କରିଛନ୍ତି। ରାଜସ୍ଥାନ ସରକାରଙ୍କ ଅମଲାତନ୍ତ୍ରର ଚାପରେ ପଡ଼ି ଆଇଆଇଏଫ୍‌ଏ’ର ଆୟୋଜକଙ୍କ ପକ୍ଷରୁ ତାଙ୍କ ନାମକୁ ‘ବେଷ୍ଟ ମେଲ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର’ ଶ୍ରେଣୀରେ ମନୋନୀତ କରାଯାଇ ନାହିଁ ବୋଲି ସୋନୁ ଅଭିଯୋଗ ଆଣିଛନ୍ତି।

ସୋନୁ ତାଙ୍କ ପୋଷ୍ଟରେ ‘ବେଷ୍ଟ ମେଲ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର’ ଶ୍ରେଣୀରେ ମନୋନୀତ ହୋଇଥିବା ଗାୟକଙ୍କ ନାମ ଥିବା ଏକ ସ୍କ୍ରିନ୍‌ଶଟ୍‌କୁ ଶେୟାର କରିଥିଲେ। ପୋଷ୍ଟ’ର ବ୍ୟାକ୍‌ଗ୍ରାଉଣ୍ଡରେ ସେ ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମର ‘ମେରେ ଢୋଲନା ୩.୦’ ଗୀତକୁ ଲଗାଇଥିଲେ। ଏହି ଲୋକପ୍ରିୟ ଗୀତ ପାଇଁ ବି ତାଙ୍କୁ ନୋମିନେଶନ ମିଳିଲା ନାହିଁ ବୋଲି ସୋନୁ କ୍ୟାପ୍‌ଶନ୍‌ରେ ଲେଖିଛନ୍ତି।

ପ୍ରକାଶ ଯେ, ଗତବର୍ଷ ଡିସେମ୍ବରରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଆୟୋଜିତ ରାଇଜିଂ ରାଜସ୍ଥାନ କାର୍ଯ୍ୟକ୍ରମରେ ସୋନୁ ପର୍ଫର୍ମାନ୍ସ ଦେଉଥିବାବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଅଧାରୁ ଉଠି ପଳାଇଥିଲେ। ସେତେବେଳେ ସୋନୁ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଥିଲେ। ତେଣୁ ରାଜସ୍ଥାନ ଅମଲାତନ୍ତ୍ରର ଚାପରେ ତାଙ୍କୁ ଆଇଆଇଏଫ୍‌ଏ ଆଓ୍ବାର୍ଡ ପାଇଁ ମନୋନୀତ କରାଯାଇ ନ ଥିଲା ବୋଲି ସୋନୁ ଅଭିଯୋଗ ଆଣିଛନ୍ତି।

Share
Tags: sonu nigam