ପୁରୁଷୋତ୍ତମପୁର,୯ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ଅନ୍ତର୍ଗତ କୁମାରୀରେ ଏକ ଦୁଃଖଦ ଘଟଣା ଘଟିଛି। ବାପାଙ୍କ ମୃତ୍ୟୁର ୮ ଦିନ ପରେ ଶନିବାର ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟରୁ ଦିବ୍ୟାଙ୍ଗ ପୁଅର ପଚାସଢ଼ା ମୃତଦେହ ମିଳିଛି। ମୃତ ଯୁବକ ହେଲେ କବି ମହାରଣା (୨୭)। ଏହାକୁ ନେଇ କୁମାରୀରେ ଶୋକାକୁଳ ପରିବେଶ ଦେଖାଦେଇଥିବା ବେଳେ ଏହି ମୃତ୍ୟୁକୁ ନେଇ ଲୋକେ ବିଦ୍ୟୁତ୍ ବିଭାଗକୁ ଦୋଷ ଦେଇ ବିଭାଗର ଦାୟିତ୍ୱହୀନତା ଯୋଗୁ ଏଭଳି ଘଟିଥିବାର କହିଛନ୍ତି।
ଆସିକା-ହୁମ୍ମା ମୁଖ୍ୟରାସ୍ତା କଡ଼ରେ କୁମାରୀ ବନ୍ଧପାଶର୍ବରେ ମୁକୁଳା ଭାବରେ ଗଛଲତା ପୂର୍ଣ୍ଣ ପରିବେଶରେ ଟ୍ରାନ୍ସଫର୍ମରଟି ରହିଥିବା ବେଳେ ଏହାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ସନ୍ଦେହ କରାଯାଉଛି। ଏହାର ଖବରପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳକୁ ଆସି ମୃତଦେହକୁ ଜବତ କରିବା ସହ କେସ୍ ନଂ ୧୫/୨୫ରେ ଏକ ମାମଲା ରୁଜୁ କରାଯାଇଛି। ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଇବାର ନେଇ ଏସ୍ଆଇ ଆଦିତ୍ୟ ନାରାୟଣ ପାତ୍ର କହିଛନ୍ତି।
ଘଟଣାରୁ ଜାଣିବାକୁ ମିଳିଛି ଯେ, ମୃତ କବି ଜଣେ ଦିବ୍ୟାଙ୍ଗ ହୋଇଥିବାବେଳେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଗରିବ ଶ୍ରେଣୀର ଅଟନ୍ତି। ଗତମାସ ୨୭ ତାରିଖରେ ସେ ଘରୁ ବାହାରକୁ ଆସିଥିବାବେଳେ ଆଉ ଘରକୁ ଫେରି ନ ଥିଲେ। ଫଳରେ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ଇତିମଧ୍ୟରେ ତାଙ୍କ ବାପା ସୁରେନ୍ଦ୍ର ମହାରଣା ଗତ ୨ ତାରିଖରେ ମୃତ୍ୟୁ କରିଛନ୍ତି। ଶନିବାର ଟ୍ରାନ୍ସଫର୍ମର ନିକଟରୁ ଜୋରରେ ଦୁର୍ଗନ୍ଧ ବାହାରିବାରୁ ଲୋକେ ଯାଇ ଦେଖିବା ବେଳେ କବିଙ୍କ ପଚାସଢ଼ା ମୃତଦେହକୁ ଦେଖିବାକୁ ପାଇଥିଲେ। ଏହି ମୃତ୍ୟୁ ଏଠାରେ ଏକପ୍ରକାର ସନ୍ଦେହଘେରକୁ ଆସିଛି। ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି ନା ନିଜେ ପଡ଼ି ମୃତ୍ୟୁବରଣ କରିଛନ୍ତି ତାହା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।