ଝାରସୁଗୁଡ଼ା,୨୭ା୨(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଉଦ୍ୟମରେ ପ୍ରଶାସନର ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ଗୁରୁବାର ଅପରାହ୍ନରେ ଜଣେ ଅସହାୟ ମହିଳା ତାଙ୍କ ପରିବାର ଲୋକଙ୍କୁ ଫେରିପାଇଛନ୍ତି। ସେ ହେଲେ ସୋନମତୀ ଓରଫ୍ ସାକେତ କୁମାରୀ। ସୂଚନା ଅନୁଯାୟୀ, ୨୦୨୪ ନଭେମ୍ବର ୧୦ରେ ଲଇକେରା ପୋଲିସ ଦ୍ୱାରା ସୋନମତୀଙ୍କୁ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ଝାରସୁଗୁଡ଼ାସ୍ଥିତ ମିଶନ ଆଶ୍ରା-୨ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରଶାସନିକ ତତ୍ତ୍ୱାବଧାନରେ ତାଙ୍କୁ ଚିକିତ୍ସା ସେବା ଓ ମାନସିକ ପରାମର୍ଶ ସହାୟତା ଯୋଗାଇ ଦିଆଯାଇଥିଲା। ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ଏବଂ ସେ ନିଜ ପରିଚୟ ଦେବାକୁ ସକ୍ଷମ ହୋଇଥିଲେ। ମିଶନ୍ ଆଶ୍ରା ଟିମ୍ର ସଦସ୍ୟମାନେ ଖୋଜାଖୋଜି କରିବା ପରେ ସୋନମତୀଙ୍କ ଘର ଛତିଶଗଡ଼ର ଯଶପୁର ଜିଲାରେ ବୋଲି ଜାଣିବାକୁ ପାଇଥିଲେ। ପରେ ସେମାନେ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାପାଳ ଚହ୍ବାଣ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ, ମିଶନ ଆଶ୍ରା ଟିମ୍ର ସଦସ୍ୟଙ୍କ ଉପସ୍ଥିତିରେ ସୋନମତୀଙ୍କୁ ତାଙ୍କ ପୁଅଙ୍କୁ ହସ୍ତାନ୍ତର କରାଯାଇଥିଲା।