୨୦୨୪ ନିର୍ବାଚନ ପାଇଁ କମିଟି ଗଠନ କଲେ ସୋନିଆ

ନୂଆଦିଲ୍ଲୀ,୨୫।୪ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଗ୍ରହଣ କରାଯିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଦଳ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନେଇପାରି ନାହିଁ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ବରିଷ୍ଠ ନେତାମାନଙ୍କ ସହ ଏକ ବୈଠକରେ ଏକାଠି ହୋଇଥିଲେ। ପ୍ରଶାନ୍ତ କିଶୋରଙ୍କ ଯୋଗଦାନ ଏବଂ ସେ ଦେଇଥିବା ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା ହୋଇଥିଲା। ତେବେ ରଣନୀତିକାର ଯୋଗଦେବା ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇ ନ ଥିବା ଦଳ ମୁଖପାତ୍ର ରଣଦୀବ ସୁର୍ଜଓ୍ବୋଲା ବୈଠକ ଶେଷରେ ଖବରଦାତା ସମ୍ମୀଳନୀରେ ସୂଚନା ଦେଇଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପରିଚାଳନା ଲାଗି କଂଗ୍ରେସ ଅଧ୍ୟକ୍ଷା ଏକ କାର୍ଯ୍ୟକାରୀ କମିଟି ଗଠନ କରିଥିବା ସୁର୍ଜଓ୍ବୋଲା କହିଛନ୍ତି। ଏହି ସ୍ବତନ୍ତ୍ର କମିଟିରେ କେଉଁମାନେ ସଦସ୍ୟ ରହିବେ ତାହା ପରେ ଘୋଷଣା କରାଯିବ। ଏହା ବ୍ୟତୀତ ଆସନ୍ତା ମାସ ୧୩ରୁ ୧୫ ମଧ୍ୟରେ ରାଜସ୍ଥାନର ଉଦୟପୁରରେ ଦଳର ଚିନ୍ତନ ବୈଠକ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି। ଏହି ୩ ଦିନିଆ ଶିବିରରେ ସାରା ଦେଶରୁ ୪୦୦ରୁ ଉର୍ଦ୍ଧ୍ୱ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେବେ। ସୋମବାରର ବୈଠକରେ ବରିଷ୍ଠ ନେତା ପି. ଚିଦାମ୍ବରମ, ଅମ୍ବିକା ସୋନି, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଦିଗ୍‌ବିଜୟ ସିଂ, ଜୟରାମ ରମେଶ, ମୁକୁଲ ଓ୍ବାସନିକ୍‌, କେ.ସି. ବେଣୁଗୋପାଳ ଏବଂ ରଣଦୀପ୍‌ ସୁର୍ଜଓ୍ବୋଲା ଉପସ୍ଥିତ ଥିଲେ। ଉକ୍ତ କମିଟି ପ୍ରଶାନ୍ତ କିଶୋରଙ୍କ ଅଧିକାଂଶ ପ୍ରସ୍ତାବରେ ନୀତିଗତ ଭାବେ ରାଜି ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି।