ନୂଆଦିଲ୍ଲୀ,୨।୨: ଲଦାଖର ବିଶିଷ୍ଟ ସାମାଜିକ କର୍ମୀ ତଥା ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଅଟକ ରଖିବା ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସ୍ପଷ୍ଟୀକରଣ ରଖିଛନ୍ତି। ସୋମବାର ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାର କହିଛନ୍ତି ଯେ, ୱାଙ୍ଗଚୁକଙ୍କ ଭାଷଣ ଜନସାଧାରଣଙ୍କୁ ଉତ୍ସାହିତ କରିବା ସହ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ବିଶେଷ କରି ସୀମାନ୍ତ ଅଞ୍ଚଳ ଭାବେ ଲଦାଖର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, ୱାଙ୍ଗଚୁକ ନିଜ ଭାଷଣରେ ଯୁବପିଢ଼ିଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିଲେ। ସେ ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ହୋଇଥିବା ହିଂସାତ୍ମକ ଆନ୍ଦୋଳନ ଓ ରାଜନୈତିକ ଅସ୍ଥିରତାର ଉଦାହରଣ ଦେଇ ଲଦାଖକୁ ମଧ୍ୟ ସେହି ଦିଗକୁ ଠେଲି ଦେବାକୁ ପ୍ରୟାସ କରୁଥିଲେ।
ସରକାରଙ୍କ ଅଭିଯୋଗ ଅନୁଯାୟୀ, ୱାଙ୍ଗଚୁକ ଯୁବବର୍ଗଙ୍କୁ ନେପାଳ ଭଳି ଦଙ୍ଗା ସୃଷ୍ଟି କରିବାକୁ ପ୍ରୋତ୍ସାହିତ କରୁଥିଲେ। ସେ କେନ୍ଦ୍ର ସରକାରଙ୍କୁ ‘ସେମାନେ’ ଭାବେ ସମ୍ବୋଧନ କରି ସାମ୍ପ୍ରଦାୟିକ ଓ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ବଢ଼ାଉଥିଲେ। ଅତି ଚତୁରତାର ସହ ନିଜର ଉତ୍ତେଜନାମୂଳକ ମନ୍ତବ୍ୟ ଉପରେ ଗାନ୍ଧିବାଦୀ ବିଚାରଧାରାର ଏକ ପରଦା ଘୋଡ଼ାଇ ରଖିଥିଲେ।
ଜଷ୍ଟିସ୍ ଅରବିନ୍ଦ କୁମାର ଏବଂ ଜଷ୍ଟିସ୍ ପ୍ରସନ୍ନ ଭାରାଲେଙ୍କ ଖଣ୍ଡପୀଠ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଦ୍ୱାରା ଦାଖଲ ଆବେଦନର ଶୁଣାଣି କରୁଥିଲେ। ଗୀତାଞ୍ଜଳି ନିଜ ଆବେଦନରେ ୱାଙ୍ଗଚୁକଙ୍କୁ ‘ଜାତୀୟ ସୁରକ୍ଷା ଆଇନ’ (NSA) ଅଧୀନରେ ଅଟକ ରଖିବା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଛନ୍ତି।
କୋର୍ଟ କହିଛନ୍ତି ଯେ ଅନୁଚ୍ଛେଦ ୩୨ ଅନୁଯାୟୀ, ଜିଲା ମାଜିଷ୍ଟ୍ରେଟଙ୍କ (DM) ନିଷ୍ପତ୍ତି ଉପରେ କୋର୍ଟ ନିଜର ସନ୍ତୁଷ୍ଟି ବ୍ୟକ୍ତ କରିବେ ନାହିଁ, ବରଂ ଏହା ଦେଖିବେ ଯେ ଅଟକ ରଖିବା ପଛରେ ଥିବା କାରଣର ଜାତୀୟ ସୁରକ୍ଷା ସହ ସମ୍ପର୍କ ଅଛି କି ନାହିଁ।
ତୁଷାର ମେହେଟ୍ଟା କହିଛନ୍ତି ଯେ, ଜଣେ ଡିଆଇଜି (DIG) ରାହୁଲ ୱାଙ୍ଗଚୁକଙ୍କୁ ଭେଟି ତାଙ୍କର ଉତ୍ତେଜନାମୂଳକ ଭିଡିଓ ଦେଖାଇଥିଲେ ଏବଂ ୱାଙ୍ଗଚୁକ ନିଜେ ସେହି ଭିଡିଓଗୁଡ଼ିକ ସତ୍ୟ ବୋଲି ସ୍ୱୀକାର କରିଛନ୍ତି।
ସରକାର କହିଛନ୍ତି ଯେ ଜିଲା ମାଜିଷ୍ଟ୍ରେଟ ୱାଙ୍ଗଚୁକଙ୍କ ଭାଷଣକୁ ସମ୍ପୂର୍ଣ୍ଣ ଭାବେ ଅନୁଧ୍ୟାନ କରିବା ପରେ ହିଁ ଏହା ଜନଶୃଙ୍ଖଳା ବିଗାଡ଼ିବାର କ୍ଷମତା ରଖୁଛି ବୋଲି ଜାଣିପାରିଥିଲେ।
ଅନ୍ୟପଟେ ୱାଙ୍ଗଚୁକଙ୍କ ଓକିଲ କପିଲ ସିବଲ ପୂର୍ବରୁ କହିଥିଲେ ଯେ, ୱାଙ୍ଗଚୁକ କେବେବି ହିଂସାକୁ ପ୍ରୋତ୍ସାହନ ଦେଇନାହାନ୍ତି। ସେ କେବଳ ଲଦାଖ ପାଇଁ ସାମ୍ବିଧାନିକ ସୁରକ୍ଷା ଓ ଷଷ୍ଠ ଅନୁସୂଚୀ ଦାବି କରୁଛନ୍ତି। ଗଣତନ୍ତ୍ରରେ ସରକାରଙ୍କ ସମାଲୋଚନା କରିବା ବିରୋଧୀ କାର୍ଯ୍ୟ ନୁହେଁ ବୋଲି ସେ ଦର୍ଶାଇଥିଲେ।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୦୨୫ରେ ଲଦାଖରେ ହୋଇଥିବା ହିଂସାତ୍ମକ ଆନ୍ଦୋଳନ ପରେ ୱାଙ୍ଗଚୁକଙ୍କୁ ଗିରଫ କରାଯାଇ ଯୋଧପୁର ଜେଲରେ ରଖାଯାଇଛି।