ଦଶହରା ଛୁଟିରେ ହଷ୍ଟେଲରୁ ଘରକୁ ଯାଉଥିଲା ପୁଅ:ରାସ୍ତାରେ ଚାହିଁ ରହିଥିଲା ମୃତ୍ୟୁ…

ରାୟଗଡ଼ା,୨୭।୯(ଆଶିଷ ରଞ୍ଜନ ପଣ୍ଡା): ହୋଇଗଲା ଦଶହରା ଛୁଟି। ମାଉସୀ ପୁଅ ସହିତ ସ୍କୁଲ ହଷ୍ଟେଲରୁ ବାଇକ୍‌ରେ ଘରକୁ ଯାଉଥିଲା ପୁଅ ହେଲେ ବାଟରେ ସତେ ଯେମିତି ଚାହିଁ ବସିଥିଲା ମୃତ୍ୟୁ। ରାସ୍ତାରେ ଅନ୍ୟ ଏକ ବାଇକ ଧକ୍କା ଦେବାରୁ ଆସୁଥିବା ଟ୍ରକ୍‌ ଚକ ତଳେ ଚାପି ହୋଇଗଲା ୧୪ ବର୍ଷର ନାବାଳକ। ନାବାଳକ ଜଣକ ହେଲେ କାଶିପୁର ବ୍ଲକ ସିନ୍ଦୁରଘାଟି ପଞ୍ଚାୟତର ଡେରାକଣା ଗ୍ରାମର ରାହୁଲ ନାଏକ। ରାହୁଲ ରାୟଗଡ଼ା ବ୍ଲକ ପେନିକଣା ଆଶ୍ରମ ସ୍କୁଲରେ ନବମ ଶ୍ରେଣୀର ଛାତ୍ର। ଶନିବାର ସ୍କୁଲ ସରିବା ପରେ ଦଶହରା ଛୁଟି ଉପଲକ୍ଷେ ନିଜ ମାଉସୀ ପୁଅ ଭାଇ ଲୋଚନ ନାଏକଙ୍କ ସହିତ ବାଇକରେ ଗାଁକୁ ଫେରୁଥିଲା। ହେଲେ ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡ଼ା ନିକଟସ୍ଥ ପ୍ଲାନେଟୋରୀୟମଠାରେ ୩୨୬ ନଂ ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସାମ୍ନାପଟୁ ଧକ୍କା ଦେଇଥିଲା।
ଫଳରେ ଗାଡ଼ି ଭାରସାମ୍ୟ ହରାଇବା ସହ ନାବାଳକ ରାହୁଲ ଉକ୍ତ ରାସ୍ତାରେ ଯାଉଥିବା ଟ୍ରକ ଚକା ତଳେ ପଡି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମତ୍ୟୁ ଘଟିଥିଲା। ଲୋଚନ ଗୁରୁତର ଆହତ ହୋଇଛନ୍ତି। ଖବରପାଇ ଚାନ୍ଦିଲି ଥାନା ଆଇଆଇସି ଉତ୍ତମ କୁମାର ସାହୁ, ଏସଆଇ ଆଶୁତୋଷ ସାହୁ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଗାଡ଼ିରେ ମୃତ ଦେହ ଓ ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଲୋଚନଙ୍କ ଚିକିତ୍ସା ଚାଲିଛି। ତେବେ ଏନେଇ ପୋଲିସ ଏକ ମାମଲା ରୁଜୁ କରି ଟ୍ରକକୁ ଅଟକ ରଖିଥିବା ବେଳେ ଡ୍ରାଇଭର ଫେରାର ଥିବା ଜଣାପଡିଛି।