ବାରିପଦା,୧୪ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ସାରସକଣା ବ୍ଲକ ଯୋକା ଗ୍ରାମରେ ଜଣେ ଯୁବକ ବାପାଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଅଭିଯୁକ୍ତ ଯୁବକ ହେଲେ ଚନ୍ଦନ ମୁଣ୍ଡା। ଖବରପାଇ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିବା ସହ ତଦନ୍ତ ଜାରି ରଖିଛି। ମୃତକ ହେଲେ ଜଟିଆ ମୁଣ୍ଡା । ଏ ସଂକ୍ରାନ୍ତରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଚନ୍ଦନଙ୍କୁ ଗିରଫ କରିଛି।
ଗୁରୁବାର ଅପରାହ୍ନରେ ଚନ୍ଦନ ନିଶାସକ୍ତ ଅବସ୍ଥାରେ କୌଣସି କଥାକୁ ନେଇ ବାପା ଜଟିଆଙ୍କ ସହ ପାଟିତୁଣ୍ଡ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଚନ୍ଦନ ଏକ କାଠଫାଳିଆରେ ବାପାଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାନ ପୁଅ ବାପାଙ୍କୁ ସ୍ଥାନୀୟ ଶୀର୍ଷା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ସାନ ପୁଅର ଲିଖିତ ଅଭିଯୋଗ କରିବା ପରେ ଝାରପୋଖରିଆ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।